Site icon ଆଜିକାଲି

ଆଜି ପବିତ୍ର ପଣା ସଂକ୍ରାନ୍ତି

ଆଜି ପବିତ୍ର ପଣା ସଂକ୍ରାନ୍ତି । ବୈଶାଖ ବିଷୁବ ପଣା ସଂକ୍ରାନ୍ତି ଉତ୍କଳର ନବବର୍ଷ । ଅଢ଼େଇ ହଜାର ବର୍ଷ ସଂସ୍କୃତିର ଅସ୍ମିତା ଆମ ଉତ୍କର୍ଷ । ପୂଜାପାଠ, ହୋମଯଜ୍ଞ, ଛତୁଆ ସାଙ୍ଗକୁ ପଣାର ମହକ । ନିଜର ଅସ୍ମିତା, ପରିଚିତିର ନିଦର୍ଶନ ସ୍ବରୂପ ଓଡ଼ିଆ ନବବର୍ଷକୁ ଆଜି ମନଖୋଲି ମନାଉଛି ସାରା ରାଜ୍ୟ ।

ପରମ୍ପରା ଅନୁଯାୟୀ ପୂରପଲ୍ଲୀରେ ପାଳିତ ହେଉଛି ପଣା ସଂକ୍ରାନ୍ତି । ପଣାଭୋଗ ସାଙ୍ଗକୁ ମନ୍ଦିରରେ ଦେବଦର୍ଶନ ସାରି ପଣା ପିଇବେ ପ୍ରତ୍ୟେକଟି ଓଡ଼ିଆ । ସେଥିପାଇଁ ତ ବଡ଼ଠାକୁରଙ୍କ ପାଖରେ ଆଜି ସକାଳୁ ସକାଳୁ ଗହଳି । ତୁଳସୀ ଚଉରା ଉପରେ କଳସୀ ଟାଙ୍ଗି ବୃନ୍ଦାବତୀଙ୍କୁ ଆରାଧନାର ପରମ୍ପରା ବି ନା କେବଳ ଆଧ୍ୟାତ୍ମିକତାବାଦର ସୂଚନା ଦିଏ । ବରଂ ବିଜ୍ଞାନସମ୍ମତ ହେବାର ବି ପ୍ରମାଣ ଥୁଏ । 

ଆଜି ମଧ୍ୟ ମହାବୀର ହନୁମାନ ଜୟନ୍ତୀ । ସେଥିପାଇଁ ବଜରଙ୍ଗବାଲୀଙ୍କ ମନ୍ଦିରରେ ଆୟୋଜିତ ହେଉଛି ସ୍ବତନ୍ତ୍ର ହୋମଯଜ୍ଞ । ଏହି ଅବସରରେ ପୁରୀର ବିଭିନ୍ନ ଜାଗା ଆଖଡ଼ାରେ କୁସ୍ତି, କସରତ ସାଙ୍ଗକୁ ଆକର୍ଷଣୀୟ ସମରକଳାର ଝଲକ ବି ଦେଖିବାକୁ ମିଳିବ । 

ମହାବିଷୁବ ସଂକ୍ରାନ୍ତି ଅବସରରେ ଝାମୁଯାତ୍ରା, ଦଣ୍ଡଯାତ୍ରା ଓ ମେରୁଯାତ୍ରା ବି ସମ୍ପନ୍ନ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତିର ନିଦର୍ଶନ ସ୍ବରୂପ କେଉଁଠି ରଡ଼ନିଆଁରେ ଚାଲିବେ ତ ଆଉ କେଉଁଠି ଅଗ୍ନିକୁଣ୍ଡରେ ଝୁଲିବେ। 

ସେପଟେ ଆଜିଠାରୁ ମଧ୍ୟ ନୂଆପାଞ୍ଜିର ପ୍ରଚଳନ ଆରମ୍ଭ ହୋଇଛି । ଓଡ଼ିଆ ନବବର୍ଷରେ ଦେବାଦେବୀଙ୍କ ପାଖରେ ପାଞ୍ଜିପାଠ ବି ଏକ ଅନନ୍ୟ ପରମ୍ପରା ।

Exit mobile version