Site icon ଆଜିକାଲି

ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ

ପୁରୀ : ଆଜି ଭାଦ୍ରବ କୃଷ୍ଣ ଏକାଦଶୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେଉଛି। ମଙ୍ଗଳବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରିଥିଲେ। ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ।

ବେଢା ପରିକ୍ରମା କରି ଲୋକନାଥ ରୋଡସ୍ଥିତ ଲବଣିଖିଆ ମଣ୍ଡପକୁ ବିଜେ କରିବେ। ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହୋଇଥାଏ। ପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟ ବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢି ଦକ୍ଷିଣୀ ଘରକୁ ବିଜେ କରିବେ। ତେବେ ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସୁସଜ୍ଜିତ କରାଯାଇଥାଏ।

ଏହି ବେଶରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କାଷ୍ଠ ନିର୍ମିତ ବେତ, ସୂତା ଓ କନାରେ ପ୍ରସ୍ତୁତ ପ୍ରାୟ ୩୦ ଫୁଟ ଲମ୍ୱର ବିରାଟକାୟ ସପ୍ତଫେଣିଆ କାଳୀୟ ସର୍ପକୁ ରତ୍ନସିଂହାସନ ଉପରକୁ ନିଆଯାଇଥାଏ । ଫେଣିଆ ମସ୍ତକ ଶ୍ରୀ ଜଗନ୍ନାଥଙ୍କ ଶ୍ରୀପୟର ତଳେ ଓ ଅବଶିଷ୍ଟ ଅଂଶ ଠାକୁରଙ୍କ ସମସ୍ତ ଶରୀରକୁ ଆବୃତ କରି ରଖାଯାଏ । ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ଓ ଶ୍ରୀ ବଳଭଦ୍ରଙ୍କ ଦୁଇ ପାର୍ଶ୍ୱରେ ଗୋଟିଏ ଲେଖାଏଁ କାଷ୍ଠ ନିର୍ମିତ ଗାଇ ବାଛୁରୀ ରଖାଯାଇଥାଏ। ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି।

Exit mobile version