Site icon ଆଜିକାଲି

ଆଜି ଖଳିଲାଗି ଏକାଦଶୀ, ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେବ ଖଳି

ପୁରୀ : ଆଷାଢ଼ କୃଷ୍ଣ ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧିବ୍ୟବସ୍ଥା ଅନୁସାରେ ଏହି ଏକାଦଶୀ କୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ କରାଯାଏ। ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ, କୁଂକୁମ କୁ ମିଶ୍ରଣ କରି ଲାଗି କରାଯାଏ। ମହାପ୍ରଭୁ କ୍ରମଶଃ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ପୂଜା ସମୟରେ ଘଣ୍ଟ ବାଜିବା ସହିତ ନୈବେଦ୍ୟ ରେ ତୁଳସୀ ପତ୍ର ପଡି ଭୋଗ ଲାଗି ହୋଇଥାଏ।

ରାତ୍ରରେ ମହାପ୍ରଭୁଙ୍କ ନୀତି ସମାପନ ପରେ ଶୁଦ୍ଧ ସୁଆର ଯୋଗାଇଥିବା ଖଳି ଶ୍ରୀଅଙ୍ଗରେ ଲେପନ କରାଯାଇଥାଏ। ଶୁଦ୍ଧ ସୁଆର ଗହମ ଗୁଣ୍ଡକୁ ଶୁକ୍ଳ ବସ୍ତ୍ରରେଛାଣି ଖଳି ପ୍ରସ୍ତୁତ କରିଥାନ୍ତି। ସେହିପରି ଶଙ୍ଖ କୁ ପୋଡି ତାର ଭସ୍ମ ରେ ଖଡ଼ି ପ୍ରସ୍ତୁତ କରି ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ ପାଇଁ ଲେପନ କରା ଯାଇଥାଏ। ଯାହାକୁ ଶ୍ରୀମନ୍ଦିର ଭାଷାରେ ଖାଳିଲାଗି କୁହା ଯାଇଥାଏ। ଖଳିଲାଗି ପରେ ଶ୍ରୀଜୀଉ ମାନଙ୍କ ଶରୀରର ଶୋଭା ବର୍ଦ୍ଧନ କରିଥାଏ।ଆଜି ଶ୍ରୀମନ୍ଦିରରେ ଦଶ ଦିବସ ପରେ ଘଣ୍ଟ ଓ ଘଣ୍ଟି ବାଜି ଦୈନନ୍ଦିନ ନୀତି ବଢିଥାଏ।

Exit mobile version