Site icon ଆଜିକାଲି

ଆଜି ରାଧାଷ୍ଟମୀ

ଆଜି ଶ୍ରୀ ରାଧାଷ୍ଟମୀ ଭାଦ୍ରବ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ କୃଷ୍ଣପ୍ରିୟା ରାଧା ଜନ୍ମ ହୋଇଥିଲେ । ଉତ୍ତର ପ୍ରଦେଶ ଅନ୍ତର୍ଗତ ବରସାନା, ତାଙ୍କ ଜନ୍ମ ସ୍ଥାନ । ଏହି ଦିନରେ ବରସାନାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଭବିଷ୍ୟ ପୁରାଣ ଓ ଗର୍ଗ ସଂହିତା ଅନୁଯାୟୀ ଦ୍ୱାପର ଯୁଗରେ ଭାଦ୍ରବ ଶୁକ୍ଳ ପକ୍ଷ ଅଷ୍ଟମୀରେ ବୃଷଭାନୁ ଗୋପଙ୍କ ପତ୍ନୀ କୀର୍ତ୍ତିଙ୍କ ଠାରେ ଭଗବତୀ ରାଧା ଅବତରିତ ହୋଇଥିଲେ । ରାଧା, କୃଷ୍ଣଙ୍କ ପତ୍ନୀ ନଥିଲେ । ତେବେ ରାଧାଙ୍କ ନାମ ସହ ଯୋଡ଼ା ନଗଲେ କୃଷ୍ଣ ଅସଂପୂର୍ଣ୍ଣ ।

ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ, କୃଷ୍ଣ ଅବତାର ନେବା ବେଳେ, ସମସ୍ତ ଦେବତାଙ୍କୁ ପୃଥିବୀରେ ଭିନ୍ନ ଭିନ୍ନ ଅବତାର ଧାରଣ କରିବା ପାଇଁ କହିଥିଲେ । ଆଉ ଲକ୍ଷ୍ମୀ, ରାଧା ବନି, ପୃଥିବୀକୁ ଆସିଥିଲେ । ବ୍ରହ୍ମବୈତ୍ତ୍‌ର୍ ପୁରାଣରେ ରାଧାଙ୍କୁ କୃଷ୍ଣଙ୍କ ସଖୀ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ରାଧା ଜନ୍ମ ହେଉ ହେଉ ବୟସ୍କା ହୋଇ ଯାଇଥିଲେ । ରାଧା ଉପନିଷଦରେ ବ୍ରହ୍ମା, କୃଷ୍ଣଙ୍କୁ ପ୍ରଥମ ଦେବତା କହିଛନ୍ତି ଏବଂ ତାଙ୍କ ଶକ୍ତି ଶ୍ରୀରାଧାଙ୍କୁ ସର୍ବଶ୍ରେଷ୍ଠ ଶକ୍ତି । ଏଥିରେ ରାଧାଙ୍କ ଅଷ୍ଟାଦଶ ନାମ ଉଲ୍ଲେଖିତ । ସ୍କନ୍ଦ ପୁରାଣ ଅନୁଯାୟୀ ରାଧା, ଶ୍ରୀକୃଷ୍ଣଙ୍କ ଆତ୍ମା । ତେଣୁ ସରଳ ଭାଷାରେ ତାଙ୍କୁ ରାଧାରମଣ କୁହାଯାଏ । ପଦ୍ମ ପୁରାଣ ଅନୁଯାୟୀ ପରମାନନ୍ଦ ରସ ହେଉଛି ରାଧା କୃଷ୍ଣଙ୍କ ଯୁଗଳ ସ୍ୱରୂପ । ଏମାନଙ୍କ ଆରାଧନା ବିନା ଜୀବ ପରମାନନ୍ଦର ଅନୁଭବ ପାଇବ ନାହିଁ । କୃଷ୍ଣ ଆନନ୍ଦର ବିଗ୍ରହ ଏବଂ ରାଧା ପ୍ରେମର ମୂର୍ତ୍ତି । କୃଷ୍ଣଙ୍କ ବିନା ରାଧା ଓ ରାଧାଙ୍କ ବିନା କୃଷ୍ଣଙ୍କୁ କଳ୍ପନା କରିବା ଅସମ୍ଭବ । ତେଣୁ ରାଧା ହେଉଛନ୍ତି ମହାଶକ୍ତି । ରାଧୋପନିଷଦ ଅନୁଯାୟୀ କୃଷ୍ଣ ଆରାଧନା କରୁଥିବାରୁ ସେ ରାଧା ଏବଂ କୃଷ୍ଣଙ୍କ ଆରାଧନା କରୁଥିବାରୁ ସେ ରାଧିକା । ରାଧାଙ୍କ କୃଷ୍ଣ ପ୍ରେମ ନିଷ୍କାମ ଓ ନିଃସ୍ୱାର୍ଥ । ସେ କୃଷ୍ଣଙ୍କ ପ୍ରତି ସମର୍ପିତ ଥିଲେ । ତାଙ୍କ ଦ୍ୱାରା କୌଣସି କାମନାର ପୂର୍ତ୍ତି ଚାହୁଁ ନଥିଲେ । କୃଷ୍ଣଙ୍କ ପ୍ରତି ଭକ୍ତି, ପ୍ରେମ ଓ ରସର ତ୍ରିବେଣୀ ହୃଦୟରେ ପ୍ରବାହିତ ହେଲେ, ମନ ତୀର୍ଥ ବନିଯାଏ । ସତ୍ୟମ ଶିବମ୍ ସୁନ୍ଦରମ୍‌ର ଏହି ମହାଭାବ ହିଁ ରାଧାଭାବ । କୃଷ୍ଣପ୍ରେମର ସର୍ବୋଚ୍ଚ ଅବସ୍ଥା ରାଧାଭାବ । ମନୁଷ୍ୟ ସର୍ବ ସମର୍ପଣ ଭାବନା ସହ କୃଷ୍ଣ ପ୍ରେମରେ ଲୀନ ହେଲେ, ରାଧାଭାବର ଅନୁଭବ ମିଳେ । କୃଷ୍ଣପ୍ରେମର ଶିଖର ହେଉଛି ରାଧାଭାବ । ତେଣୁ କୃଷ୍ଣଙ୍କୁ ପାଇବା ପାଇଁ ରାଧାରାଣୀଙ୍କ ଆଶ୍ରୟ ନେବାକୁ ପଡ଼େ ।

Exit mobile version