Site icon ଆଜିକାଲି

ଆଜି ବିଜେଡି ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ, ନବୀନ ଦେବେ ସେବା ଓ ସମର୍ପଣର ଗୁରୁମନ୍ତ୍ର

ପୁରୀ : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଶାସକ ଦଳ ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ପୁରୀ ତାଳବଣିଆ ପଡ଼ିଆଠାରେ ଆଜି ବିଜେଡିର ରାଜ୍ୟସ୍ତରୀୟ ସମା‌ବେଶ ଆୟୋଜନ କରାଯାଉଛି। ଏଥିରେ ପ୍ରାୟ ୫୦ ହଜାର ନେତା, କର୍ମୀ ଓ କର୍ମକର୍ତ୍ତା ଯୋଗଦେବେ। ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗ ଦେଇ ଦଳକୁ ଦଳୀୟ କର୍ମୀଙ୍କ ମାର୍ଗଦର୍ଶନ କରିବା ସହ ୨୦୨୪ ନିର୍ବାଚନ ପାଇଁ ଦେବେ ଗୁରୁମନ୍ତ୍ର । ଦଳୀୟ କର୍ମୀଙ୍କୁ ଜନସେବା ପାଇଁ ସଂକଳ୍ପ ନେବା ସହ ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପୁଣି ଥରେ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ।

ବିଜେଡି ଗଠନର ରୌପ୍ୟ ଜୟନ୍ତୀ ସମାବେଶ ପାଇଁ ନେତା ଓ କର୍ମୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସୁଛି ଦଳ । ନବୀନ ପଟ୍ଟନାୟକ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା । ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶା ଏବେ ଦେଶକୁ ଆହାର ଯୋଗାଉଛି । ରୌପ୍ୟ ଜୟନ୍ତୀରେ ରାଜ୍ୟ ବିକାଶ କ୍ଷେତ୍ରରେ ହାସଲ କରିଥିବା ମାଇଲଷ୍ଟୋନ୍ ନେଇ ଏକ ୧୫ ମିନିଟର ଭିଡିଓ ପ୍ରଦର୍ଶନ କରାଯିବ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାର ନେତୃତ୍ବ ନେଇଥିଲେ ନବୀନ ପଟ୍ଟନାୟକ । ନବୀନଙ୍କ ସ୍ବଚ୍ଛ ନିର୍ମଳ ଶାସନ ଲଗାତାର ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଛି ।

Exit mobile version