Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଦେବଦୁର୍ଲଭ କୃଷ୍ଣ ବଳରାମ ବେଶ

ପୁରୀ : ଶ୍ରୀମନ୍ଦିରରେ ପାରମ୍ପରିକ ବିଧାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଚାଲିଆସିଥିବା ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ବେଶ ହେଉଛି କୃଷ୍ଣ ବଳରାମ ବେଶ ।ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ କୃଷ୍ଣ ବଳରାମ ବେଶ। ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯାଏ । ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରନ୍ତି । ଉଭୟ କୃଷ୍ଣ (ଜଗନ୍ନାଥ) ଏବଂ ବଳରାମ (ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ଦଣ୍ଡାୟମାନ ରୁହନ୍ତି ।

କୃଷ୍ଣ ବଳରାମ ବେଶ ଦ୍ୱିପହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହେ। ଏହି ବେଶରେ ଖିରି ଓ ଅମାଲୁ ଭୋଗ ଲାଗେ । ଏହି ବେଶ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଖଣ୍ଡସାହିର ଜମିଦାରଙ୍କ ଦ୍ୱାରା କରାଯାଇଛି ବୋଲି ଶ୍ରୀମନ୍ଦିର ସତ୍ତ୍ୱଲିପିରୁ ସୂଚିତ ହୁଏ । ଏହି ବେଶ ଅନୁଷ୍ଠିତ ହେବା ପୂର୍ବରୁ କୁଶଳୀ କାରିଗରମାନଙ୍କଦ୍ୱାରା ବେଶ ସାମଗ୍ରୀର ମରାମତିକାର୍ଯ୍ୟ ଶ୍ରୀମନ୍ଦିର ପରିସରରେ କରାଯାଏ ।
ରତ୍ନ ସିଂହାସନସ୍ଥ ଶ୍ରୀଜୀଉମାନଙ୍କର କୃଷ୍ଣବଳରାମ ବେଶ ଏକ ଆକର୍ଷଣୀୟ ତଥା ମନୋରମ ବେଶ । ଉକ୍ତ ବେଶରେ ଜଗନ୍ନାଥଙ୍କର ୨ ହସ୍ତ, ବଳଭଦ୍ରଙ୍କର ୨ହସ୍ତ ଓ ସୁଭଦ୍ରାଙ୍କର ୪ ହସ୍ତ ହୋଇ ଥାଏ ।

Exit mobile version