Site icon ଆଜିକାଲି

ଆଜି ପବିତ୍ର ବିଶ୍ୱକର୍ମା ପୂଜା, ଚଳ ଚଞ୍ଚଳ ଗାଁରୁ ସହର

ଆଜି ଦେବ ଶିଳ୍ପୀ ପବିତ୍ର ବିଶ୍ୱକର୍ମାଙ୍କ ପୂଜା । ଏହି ଅବସରରେ ଆଜି ଗାଁରୁ ସହର ସବୁଠି ଉତ୍ସବ ମୁଖର । କଳକାରଖାନା ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ବେଶ ଧୂମାଧାମରେ ପାଳନ କରାଯାଉଛି ପୂଜା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇ ଯାଇଛି । ଭୁବନେଶ୍ୱର ରସୁଲଗଡ ଶିଳ୍ପାଅଞ୍ଚଳରେ ଆଜି ସକାଳୁ ପୂଜା ଅନୁଷ୍ଠିତ ହେଉଛି । ସେହିଭଳି ବନ୍ଦରନଗରୀ ପାରାଦୀପ ଓ ନାଲୋକ ନଗରୀ ଅନୁଗୁଳରେ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଗତକାଲି ଠାରୁ ରଙ୍ଗ ବେରଙ୍ଗର ଆଲୋକ ଓ ଆକର୍ଷଣୀୟ ତୋରଣରେ ଝଲସୁଛି ସହର । ବିଶ୍ୱ ବିନ୍ଧାଣୀଙ୍କ ଏହି ପୂଜା ପାଇଁ ପାରାଦୀପରେ ଦୋକାନ ବଜାର ଲାଗିଥିବା ବେଳେ ଅନୁଗୁଳରେ ମଧ୍ୟ ବିଭିନ୍ନ ପୂଜା ମଣ୍ଡପରେ ଗହଳି ଆରମ୍ଭ ହୋଇ ଯାଇଛି । ପୂଜା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ।

ଧାର୍ମିକ ସୂତ୍ର ଅନୁଯାୟୀ,ପ୍ରାଚୀନ କାଳରୁ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିିଥିଲେ । ସ୍ୱର୍ଗ ଲୋକ, ସ୍ୱର୍ଣ୍ଣ ଲଙ୍କା, ଦ୍ୱାରିକା ଏବଂ ହସ୍ତିନାପୁର ବି ବିଶ୍ୱକର୍ମାଙ୍କ ଦ୍ୱାରା ରଚିତ । ଏହି ବିଶ୍ୱକର୍ମା ପୂଜା ସେହି ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ଯେଉଁମାନେ କଳାକାର, ଶିଳ୍ପକାର ଏବଂ ବ୍ୟବସାୟୀ । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି।

Exit mobile version