Site icon ଆଜିକାଲି

ଆଜି ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା, ପକ୍ଷାନ୍ତରେ ରତିକାମ ମହୋତ୍ସବ

ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ।ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀ ଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।

ମା ସରସ୍ୱତୀ ଶୁକ୍ଳବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନ ବିଭୂଷିତ କୁଣ୍ଡଳ ଧାରଣକରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।
ପ୍ରାଚୀନ କାଳରେ ରାଜା ମହାରାଜାମାନେ ଶ୍ରୀ ପଞ୍ଚମୀକୁ ‘ରତିକାମ ମହୋତ୍ସବ’ ରୂପେ ପାଳନ କରୁଥିଲେ ।

ମାଘମାସ ଶୁକ୍ଳପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀଭାବେ ପାଳନ କରାଯାଏ।ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ ମାଘଶୁକ୍ଳ ପଞ୍ଚମୀ ରେ । ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର । ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ । ମା’ ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା। ମା’ସରସ୍ୱତୀ, ମାଲକ୍ଷ୍ମୀ , ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି ।

ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହିଦିନକୁ କୌମୁଦୀ ମହୋତ୍ସବ ରୂପେ ପାଳନ କରୁଥିଲେ । ଫୁଲରେ ରାଜଉଆସ ସଜାହେଉଥିଲା,ଫୁଲରଦୋଳି ରେ ରାଜାରାଣୀ ଦୋଳି ଖେଳୁଥିଲେ, ପ୍ରଜାମାନେ ଆସି ରାଜଉଆସରେ ଭୋଜନ କରୁଥିଲେ । ମାଘ ପଞ୍ଚମୀରେ ଗୋପୀମାନେ ମଧ୍ୟ କୃଷ୍ଣଙ୍କ ସହ ରାସ ଉତ୍ସବ ମନାଉଥିଲେ ।

କେତେକ ଅଞ୍ଚଳରେ ପବିତ୍ରତାର ସହ ଉଭୟ ସ୍ୱାମୀ -ସ୍ତ୍ରୀ ମାଘ ଶୁକ୍ଳ ପଞ୍ଚମୀକୁ ପ୍ରେମ ଦିବସ ରୂପେ ପାଳନ କରିଥାନ୍ତି । କାମଦେବ ଓ ରତିଙ୍କୁ ହଳଦିଆ ଫୁଲରେ ପ୍ରତିମା କରି ଦାମ୍ପତ୍ୟ ସୁଖପାଇଁ ପୂଜା କରିଥାନ୍ତି। ଶାସ୍ତ୍ର ଅନୁସାରେ ଶ୍ରୀପଞ୍ଚମୀଦିନ ବିବାହ , ନିର୍ବନ୍ଧ କାର୍ଯ୍ୟ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯେଉଁମାନଙ୍କର ବିବାହ ହେଇପାରୁନି , ସେମାନେ ଏହି ସମୟରେ ଶ୍ରଦ୍ଧା ଭକ୍ତିର ସହ ହଳଦୀ ଲଗାଇ ସ୍ନାନକରି ହଳଦିଆ ବସ୍ତ୍ର ପରିଧାନ କରି କୃଷ୍ଣ ଭଗବାନଙ୍କୁ ହଳଦିଆ ବସ୍ତ୍ରରେ ସଜାଇ ହଳଦିଆଫୁଲ ରେ ସଜାହେଇଥିବା ଝୁଲାରେ ଝୁଲାଇ ବସନ୍ତ ଉତ୍ସବ ପାଳନ କଲେ ବିବାହ ସହଜରେ ହୋଇଯାଏ ବୋଲି ବିଶ୍ୱାସ ରହିଛି ।

ପୂଜାବିଧି: ସୂର୍ଯ୍ୟୋଦୟ ପୂର୍ବରୁ ବିଦ୍ୟାର୍ଥୀଗଣ ଉଠି ଫୁଲ ତୋଳନ୍ତି । ଘରକୁ ଫୁଲକୁ ଆଣି ଗାଧୋଇ ପାଧୋଇ ଉପବାସ କରିବା ସଙ୍ଗେସଙ୍ଗେ ନୂଆ ବସ୍ତ୍ର ପରିଧାନକରି ଫୁଲରେ ମାଳଗୁନ୍ଥି ଦେବୀ ସରସ୍ୱତୀ ଙ୍କ ପୂଜାକରି ପୁଷ୍ପାଞ୍ଜଳି ଦିଅନ୍ତି।ପୁଷ୍ପମାଳାସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି । କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ । ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ପଞ୍ଚାମୃତ ରୂପରେ ଦୁଧ, ଘିଅ,ଦହି,ମହୁ ଓ ଶର୍କରା ଏକତ୍ରକରି ଦେବୀଙ୍କୁ ପ୍ରଦାନ କରାଯାଏ । ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ । ସରସ୍ୱତୀପୂଜା ଦିନ ପୁରାଣ ଗ୍ରନ୍ଥ ସହ ନିଜର ପୁସ୍ତକାଦି ପୂଜା କରିବା ବିଧେୟ । ଏହି ଦିନ ଧଳାବସ୍ତ୍ର, ଧଳାଫୁଲ, ଫଳ ମା’ଙ୍କୁ ଅର୍ପଣ କରାଯାଏ । ସରସ୍ୱତୀ ଯନ୍ତ୍ର ପୂଜା କରନ୍ତୁ । ଲାଲ କାଳିରେ ଲେଖି ଚନ୍ଦନ ଲଗାଇ ଧଳା ଫୁଲ ଚଢାଇ ମା’ଙ୍କୁ ପୂଜା କରାଯାଏ।ମା’ ସରସ୍ୱତୀଙ୍କ ଆରାଧନା, ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, ଖିରୀ, ଧଳାବସ୍ତ୍ର, ମୋତି,ରୂପା,ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ଋତୁଫଳ ସ୍ୱରୂପ ବରକୋଳି ଅର୍ପଣ କରାଯାଏ ।

ପରମ୍ପରା: ପୂର୍ବେ ସରସ୍ୱତୀ ପୂଜା ଦିନ ନଡ଼ିଆ ଖୋଜା ଓ ଦାଣ୍ଡ ମାଗୁଣି ପରମ୍ପରା ଥିଲା। ନଡ଼ିଆ ଖୋଜାରେ,ପୋଖରୀରେ ପୋତାଯାଇଥିବା ଗୋଟିଏ ନଡ଼ିଆକୁ ପିଲାମାନେ ଖୋଜୁଥିଲେ।ଦାଣ୍ଡ ମାଗୁଣି ରେ, ନଡ଼ିଆ ପାଇଥିବା ପିଲାଟି ବେକରେ ଗେଣ୍ଡୁହାର ପକାଇ ଅନ୍ୟ ପିଲାଙ୍କ ମେଳରେ ଆଗେଆଗେ ଯାଉ ଥିଲା ଓ ଗୀତ ବୋଲି ଅବଧାଙ୍କ ନିମନ୍ତେ ଦକ୍ଷିଣା ଓ ବସ୍ତ୍ର ସଂଗ୍ରହ କରୁଥିଲେ।ମେଲାଣି ଶେଷରେଅବଧାନ ଙ୍କ ଘରକୁ ଯାଇ ସମସ୍ତ ସଂଗୃହିତ ପଇସା ଓ ଜିନିଷ ପହଞ୍ଚାଉଥିଲେ ।

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ: ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ହୁଏ ଓ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଏ।ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ଚାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମକରି ରଥକାଠ ବନ ବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । ସେହି ତିନିଗୋଟି କାଠଗଣ୍ଡି ରେ ତିନିରଥର କୋଣଗୁଜ ନିର୍ମାଣ କରାଯାଇନୃସିଂହ ଙ୍କ ମୂର୍ତ୍ତି ଖୋଦେଇ କରାଯାଏ ।

ଶ୍ରୀ ଜୀଉ ମାଘ ଶୁକ୍ଳପଞ୍ଚମୀ ତିଥିରୁ ନିଜର ଶୀତବସ୍ତ୍ର କୁ ପରିହାର କରି ଗୈରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି । ଭୋଗବିଳାସର ଋତୁ ବସନ୍ତର ଆଗମନ ରେ ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗକରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ୱାନ ଦେଇଥାନ୍ତି । ତେଣୁ ସେ ନିଜେ ହେଙ୍ଗୁ ଓ ହରଡ଼ ଗୁଣ୍ଡରେ ପ୍ରସ୍ତୁତ ବସନ୍ତ ପିଷ୍ଟକ ଗ୍ରହଣ କରିଥାନ୍ତି । ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ପାଳନ ସହ ଏହି ତିଥିରୁ ବେଣ୍ଟଯାତ୍ରା ଆରମ୍ଭ ହୋଇ ଦୋଳ ଯାଏଁ ଚାଲିଥାଏ । ବେଣ୍ଟଯାତ୍ରା ଠାକୁରଙ୍କର ଶିକାର ଯାତ୍ରା । ବୈଷ୍ଣବ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହା ବନଗମନ ସମୟ । ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରତିନିଧି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କର ବିଗ୍ରହ ବେଣ୍ଟପୋଖରୀ ପାଖକୁ ଶିକାରରେ ଯାଆନ୍ତି । ବେଣ୍ଟ ପୋଖରୀରେ ମୃଗ ଭାବେ ନଡ଼ିଆ ଏବଂ କସ୍ତୁରୀପୁଡ଼ିଆ ରଖାଯାଏ । ଠାକୁର ତାକୁ ବାଣ ସଂଯୋଗ କରନ୍ତି । ଏହି ଦିନ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳା ପାଞ୍ଜି ପୂଜା କରାଯାଏ ।

Exit mobile version