Site icon ଆଜିକାଲି

ଆଜି ରାଜ୍ୟବ୍ୟାପି ପାଳନ ହେଉଛି ପ୍ରଥମ ‘ମାଣ୍ଡିଆ ଦିବସ’

ଭୁବନେଶ୍ବର : ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ପ୍ରଥମଥର ପାଇଁ ସାରା ପାଳନ କରାଯାଉଛି ‘ମାଣ୍ଡିଆ ଦିବସ ପାଳନ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ମାଣ୍ଡିଆ ଦିବସ ପାଳନର ଉଦ୍ଦେଶ୍ୟ । ଏହି ସ୍ୱାସ୍ଥ୍ୟକର ଶସ୍ୟର ବହୁଳ ପ୍ରଚାର ଓ ବ୍ୟବହାର ହିଁ ମାଣ୍ଡିଆ ଦିବସର ବାର୍ତ୍ତା ବହନ କରେ ।

ରାଜ୍ୟ ସରକାରଙ୍କ ‘ଓଡ଼ିଶା ମିଲେଟ ମିଶନ’ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ବୀକୃତି ମିଳିଛି । କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୀତି ଆୟୋଗ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ପାଇଁ ମିଲେଟ ମିଶନ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବହୁବାର ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବେ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟ୍ ମିଶନ୍ ପକ୍ଷରୁ ମିଲେଟ୍ ଦିବସ ପାଳନ କରାଯିବ। ଏଥିପାଇଁ ମାଣ୍ଡିଆର ମହତ୍ତ୍ୱ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରୁଛି। ଘରେ ଘରେ ମାଣ୍ଡିଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ବର୍ଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ବର୍ଷ ପାଇଁ ହେକ୍ଟର ପିଛା ୨୬ହଜାର ୫ଶହ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡ଼ିଶା ମିଲେଟ୍ ମିଶନ୍କୁ ସମ୍ପ୍ରସାରିତ କରାଯାଇଛି। ଏବେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଛି ମିଲେଟ୍ ମିଶନ । ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦେବା ସହ ବ୍ୟବସ୍ଥା ବର୍ଷାପୁଷ୍ଟ ଅଞ୍ଚଳରେ ମଧ୍ୟ ଏହି ଚାଷ ପାଇଁ ପଦକ୍ଷେପ ନିଆଯାଇଛି । ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ। ଆଜି ବିଭିନ୍ନ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆ ଷ୍ଟଲର ବ୍ୟବସ୍ଥା କରାଯିବ।

ଆଜି ମାଣ୍ଡିଆ ଦିବସ ଅବସରରେ କୃଷି ଭବନଠାରେ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବ। ଏହାସହ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସଂପ୍ରସାରଣ ଅଧିକାରୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ମାଣ୍ଡିଆ ଦିବସ ଅବସରରେ ରେଷ୍ଟୁରାଣ୍ଟ ଆସୋସିଏସନ୍ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରଷା ଯିବ। ଆଦିବାସୀମାନେ ‘ମିଲେଟ୍(ସୁଆଁ, କାଙ୍ଗୁ, ମାଣ୍ଡିଆ ଆଦି)କୁ ଆଦିଅନ୍ନ’ଭାବେ ଗ୍ରହଣ କରି ଦେବାଦେବୀଙ୍କୁ ଅର୍ପଣ କରୁଥିବାରୁ ଏବଂ ଓଡ଼ିଆ ଘରର ମାର୍ଗଶିର ଗୁରୁବାର କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ବାଲିଯାତ୍ରା ସହ ଅନ୍ୟ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ମହୋତ୍ସବମାନଙ୍କରେ ମାଣ୍ଡିଆର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ନିମନ୍ତେ ବ୍ୟବସ୍ଥା କରାଯାଇଛି।

Exit mobile version