Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ



ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ୱା ଶନିବାର ଦିନ ମହାପ୍ରଭୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହୋଇ ଥାଏ । ଭକ୍ତ ମନୋହରର ବାଞ୍ଛା ପୂରଣ କରିବା ପାଇଁ ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିଥିଲେ ।

ସୋଲ,ଜରି,କନା,କଇଥ ଅଠାରେ ପ୍ରସ୍ତୁତ ପଦ୍ମ- ବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇ ଥାଏ।ଆଜି କୀରୀଟ,ଚୂଳ, ହୃଦପଦକ, କର ପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତହୋଇ ଝଲସିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସରି ରାତ୍ର ଚନ୍ଦନଲାଗି ଓ ବଡସିଂହାର ବେଶ ସମୟ ରେ ଏହି ପଦ୍ମବେଶ ଅନୁଷ୍ଠିତ ହେବ । ଏହାପରେ ଶ୍ରୀଜୀଉମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖିରୀ ଓ ଅମାଲୁ ଭୋଗ କରାଯାଇଥାଏ।ବର୍ଷକରେ ଗୋଟିଏ ଦିନ ଶ୍ରୀଜୀଉମାନଙ୍କୁ ଏହି ବେଶରେ ପହୁଡ କରାଯିବା ସହ ଆସନ୍ତାକାଲି ମଙ୍ଗଳା ଆଳତୀରେ ଭକ୍ତମାନେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶକୁ ଦେଖିବାର ସୁଯୋଗ ପାଇପାରିବେ ।

Exit mobile version