Site icon ଆଜିକାଲି

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ

ପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ବିଶ୍ବ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯାଉଛି। ଏହା କେବଳ ଫଟୋଗ୍ରାଫିକୁ ବୃତ୍ତି ଭାବରେ ଗ୍ରହଣ କରୁଥିବା ବ୍ୟକ୍ତିମାନେ ହିଁ ନୁହେଁ ବରଂ ଅଧିକାଂଶ ବ୍ୟକ୍ତି ପାଳନ କରନ୍ତି । ଦିନଥିଲା କେବଳ ହାତଗଣତି କିଛି ବ୍ୟକ୍ତିଙ୍କ ପାଖରେ କ୍ୟାମେରା ରହୁଥିଲା ଏବଂ ସେମାନେ ଫଟୋଗ୍ରାଫି ବା ଚିତ୍ରୋତ୍ତଳନ କରୁଥିଲେ । ଯୁଗ ବଦଳିବା ସହିତ ଆଧୁନିକ ସମୟରେ ସ୍ମାର୍ଟ୍ ଫୋନର ବହୁଳ ବ୍ୟବହାର ଫଳରେ ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଗୋଟିଏ ଗୋଟିଏ କ୍ୟାମେରା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ଫଟୋ ଉଠାଇବା ପାଇଁ ଅଧିକ ଖର୍ଚ୍ଚିଳ କ୍ୟାମେରା ବା ଯନ୍ତ୍ରଉପକରଣର ଆଉ କୌଣସି ଆବଶ୍ୟକତା ରହିନାହିଁ । ବର୍ତ୍ତମାନ ଆପଣ ଧରିଥିବା ମୋବାଇଲ୍ ଫୋନରେ ମଧ୍ୟ ଆପଣ ମନମୁତାବକ ଫଟୋ ଉଠାଇ ପାରିବେ । ଅବିଶ୍ୱାସ ହେଉଥିଲେ ମଧ୍ୟ ସତ୍ୟ ଯେ ସାଂପ୍ରତିକ ସମୟରେ ପ୍ରତି ମୁହୂର୍ତ୍ତରେ କୋଟି କୋଟି ସଂଖ୍ୟାରେ ଚିତ୍ର ଇଣ୍ଟରନେଟରେ ଅପଲୋଡ଼ ହୋଇ ଶେୟାର୍ କରାଯାଉଛି ଏବଂ ସେ ସମସ୍ତ ଚିତ୍ର କୌଣସି ଦକ୍ଷତାପ୍ରାପ୍ତ ଫଟୋଗ୍ରାଫରଙ୍କ ଦ୍ୱାରା ନିଆଯାଉନାହିଁ । ବରଂ ଆପଣ ଓ ଆମ ଭଳି ସାଧାରଣ ବ୍ୟକ୍ତିମାନଙ୍କ ଦ୍ୱାରା ନିଆଯାଉଛି । କହିବା ବାହୁଲ୍ୟ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ସାଧାରଣ ଠାରୁ ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ ଅସାଧାରଣ ଯୋଗ୍ୟତାର ଅଧିକାରୀ କରିଦେଇ ପାରୁଛି ।

ପ୍ରଥମ ଥର ପାଇଁ ବିଶ୍ୱ ଫଟୋଗ୍ରାଫି ଦିବସ ପାଇଁ ଘୋଷଣା ଫ୍ରାନ୍‌ସ ସରକାର ୧୯୩୯ ମସିହାରେ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ୧୮୩୯ ମସିହାରେ ପ୍ରଥମ ଥର ଫଟୋଗ୍ରାଫି ସଫଳ ଭାବରେ ପରୀକ୍ଷଣ ହୋଇଥିଲା । ଏକ ଶତାବ୍ଦୀ ସମୟ ପରେ ଅର୍ଥାତ ୧୯୩୯ରେ ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରାଗଲା ବୋଲି ଘୋଷଣା କରାଗଲା । ୨୦୧୦ ମସିହା ଅଗଷ୍ଟ ୧୯ ତାରିଖରେ ପ୍ରଥମ ଥର ପାଇଁ ଗ୍ଲୋବାଲ୍ ଅନଲାଇନ୍ ଗ୍ୟାଲେରୀ ଉନ୍ମୋଚିତ ହେଲା । ଯଦି ବା ଏହା ପ୍ରଥମ ଥର ଥିଲା ତଥାପି ୨୭୦ ଜଣ ଫଟୋଗ୍ରାଫର ଏଥିରେ ନିଜ ନିଜର ଫଟୋଚିତ୍ର ଅପଲୋଡ଼୍ କରିଥିଲେ ଏବଂ ସମଗ୍ର ବିଶ୍ୱର ସମସ୍ତ ଦେଶରୁ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇଥିଲେ ।

ସୋସିଆଲ୍ ନେଟୱର୍କ୍ ଏବଂ ଫେସବୁକ୍ ତଥା ହ୍ୱାଟସ୍‌ଆପ୍ ଏବଂ ଟ୍ୱିଟରର ପ୍ରଚାର ଫଳରେ ଏହାର ବ୍ୟାପକ ପ୍ରସାର ହୋଇଛି ଏବଂ ବର୍ତ୍ତମାନ ଦେଶର ଅନେକ ସହରରେ ଏହି ଦିନଟିକୁ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ଏହି ଦିବସକୁ ପାଳନ କରିବାର କୌଣସି ନିର୍ଦ୍ଧିଷ୍ଟ ନିୟମ ନଥିଲେ ସୁଦ୍ଧା ସାଧାରଣତଃ ଏହି ଦିନ ପ୍ରାତଃକାଳରେ ଫଟୋଗ୍ରାଫି ପ୍ରତି ସମର୍ପିତ ବ୍ୟକ୍ତିମାନେ ଏକତ୍ରିତ ହୋଇ ସଭା କରିବା ସହିତ ଏକତ୍ର ଫଟୋଗ୍ରାଫି କରିବା ଭଳି କାର୍ଯ୍ୟକ୍ରମ ମାନ ହାତକୁ ନିଅନ୍ତି । ଏହାକୁ ଫଟୋୱାକ୍ ବୋଲି ମଧ୍ୟ୍ କୁହାଯାଏ । ଫଟୋଗ୍ରାଫିରେ ବିଜ୍ଞ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଏ ଏବଂ ସେମାନଙ୍କଠାରୁ ପରାମର୍ଶ ନେଇ ନିଜର ପ୍ରତିଭାକୁ ଆହୁରି ଅଧିକ ନିଖୁଣ କରିବାକୁ ଚେଷ୍ଟା କରାଯାଏ ।

ଫଟୋଗ୍ରାଫି ସମାଜର ସମସ୍ତ ସ୍ତରର ବ୍ୟକ୍ତିବିଶେଷଙ୍କୁ ଏକ ଶ୍ରେଣୀରେ ବାନ୍ଧି ରଖିବାରେ ସକ୍ଷମ । ତେଣୁ ଏହାକୁ ପାଳନ କରି ସମାନତାକୁ ସମ୍ମାନ ଦେବା ଉଚିତ । ଏହା ଦ୍ୱାରା ଫଟୋଗ୍ରାଫର ମାନଙ୍କୁ ସମ୍ମାନ ମିଳିବା ଉଚିତ । ସମାଜରେ ସଚେତନତା ସୃଷ୍ଟି କରିବା ମଧ୍ୟ ଆବଶ୍ୟକ ଯେ ଫଟୋଗ୍ରାଫି ତଥା ଫଟୋଗ୍ରାଫର ମାନେ ସମ୍ମାନର ଯୋଗ୍ୟ । ବିଶ୍ୱରେ ୧୭୯ ବର୍ଷର ଫଟୋଗ୍ରାଫି ଇତିହାସରେ ସମସ୍ତଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରିବା ଉଚିତ ।

Exit mobile version