Site icon ଆଜିକାଲି

ବିଶ୍ବକପ-୨୦୨୩ : ଆଉ ଏକ ବିପର୍ଯ୍ୟୟ ଲକ୍ଷ୍ୟରେ ନେଦରଲାଣ୍ଡ୍‌ସ, ପ୍ରତ୍ୟାବର୍ତ୍ତନ ଆଶାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା

LONDON, ENGLAND - JULY 14: General view of the Cricket World Cup Trophy during the Final of the ICC Cricket World Cup 2019 between New Zealand and England at Lord's Cricket Ground on July 14, 2019 in London, England. (Photo by Gareth Copley-ICC/ICC via Getty Images)

ନୂଆଦିଲ୍ଲୀ : ଚଳିତ ବିଶ୍ବକପ୍‌ରେ ଶନିବାର ଯୁଗଳ ମୁକାବିଲା ଦେଖିବାକୁ ମିଳିବ। ପ୍ରଥମ ମ୍ୟାଚ୍‌ ‌ଲକ୍ଷ୍ନୌରେ ପୂର୍ବାହ୍ନ ୧୦.୩୦ରେ ଶ୍ରୀଲଙ୍କା ଓ ନେଦରଲାଣ୍ଡ୍‌ସ ଏବଂ ଦ୍ବିତୀୟ ମ୍ୟାଚ୍‌ ମୁମ୍ବାଇରେ ଅପରାହ୍ଣ ୨ଟାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ।

ଧର୍ମଶାଳାରେ ଦକ୍ଷିଣ ଆଫ୍ରିକାକୁ ହରାଇ ନେଦରଲାଣ୍ଡ୍‌ସ ବିପର୍ଯ୍ୟୟ ସୃଷ୍ଟି କରିବା ସହ ବିଶ୍ବକପ୍‌ରେ ପ୍ରଥମ ବିଜୟ ପାଇଥିଲା। ଶନିବାର ଏହି ଦଳ ନିଜର ବ୍ୟାଟିଂ ଦକ୍ଷତା ବୃଦ୍ଧି କରି ଲଗାତାର ବିଜୟ ସହ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ଲକ୍ଷ୍ୟ ରଖିଛି। ଏହାର ୩ ଶୀର୍ଷକ୍ରମ ବ୍ୟାଟର୍‌ ବିକ୍ରମଜିତ ସିଂହ, ମ୍ୟାକ୍ସ ଓ’ଦାଉଦ ଓ କଲିନ ଅକରମାନ ଦଳକୁ ଏପର୍ଯ୍ୟନ୍ତ ଭଲ ଆରମ୍ଭ ଦେଇପାରି ନାହାନ୍ତି। ଫଳରେ ମଧ୍ୟଭାଗ ଉପରେ ଅତିରିକ୍ତ ଚାପ ରହୁଛି। ‌ହେଲେ ବିଶ୍ବକପ୍‌ ଦାବିଦାର ଦକ୍ଷିଣ ଆଫ୍ରିକାକୁ ହରାଇ ଥିବାରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳର ମନୋବଳ ଦୃଢ଼ ରହିଛି। ତେଣୁ ଏମାନେ ଭଲ କରିବାର ଆଶା ରହିଛି। ତାରକା ଅଲ୍‌ରାଉଣ୍ଡର ବାସ୍‌ ଡି’ଲିଡ୍‌ ‌ବଲ୍‌ରେ ସୁନ୍ଦର ପ୍ରଦର୍ଶନ ଦେଇଥିଲା ବେଳେ ବ୍ୟାଟ୍‌ରେ ସେଭଳି ସଫଳତା ପାଇ ନାହାନ୍ତି। ଏହି ମ୍ୟାଚ୍‌ ଜିତି ୧୨ ବର୍ଷ ପରେ ବିଶ୍ବକପ୍‌ ସେମିଫାଇନାଲ୍‌ ଖେଳିବା ଆଶାକୁ ମଜବୁତ କରିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ବୋଲର ଏହି ପ୍ରତିଯୋଗିତାରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ଫଳରେ ଦଳ ୩ ମ୍ୟାଚ୍‌ ଖେଳି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ପାଇନି। ପ୍ରଥମ ଦୁଇ ମ୍ୟାଚ୍‌ରେ ଦଳ ବିପକ୍ଷରେ ୩୦୦ରୁ ଊର୍ଦ୍ଧ୍ବ ରନ୍‌ ହୋଇଛି। ଆହତ ଯୋଗୁଁ କିଛି ପ୍ରମୁଖ ଖେଳାଳି ବାଦ୍‌ ପଡ଼ିବା ଏବଂ ବୋଲରଙ୍କ ଖରାପ ପ୍ରଦର୍ଶନ ଦଳକୁ ପଛରେ ରଖିଛି। ଏହି ବିଶ୍ବକପ୍‌ରେ ୭ ୱିକେଟ୍‌ ଅକ୍ତିଆର କରିଥିବା ଦ୍ରୁତ ବୋଲର ଦିଲସାନ ମଧୁସଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପକାଇଥିଲେ। ସମାନ ସ୍ଥାନରେ ଖେଳୁଥିବାରୁ ଏହି ସଫଳତା ଜାରି ରଖିବା ସହ ନେଦରଲାଣ୍ଡ୍‌ସର ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିବେ। ଲକ୍ଷ୍ନୌ ୱିକେଟ୍‌ରେ ପ୍ରଥମେ ବ୍ୟାଟିଂ କରିବା ଦଳ ଆଗରେ ରହିବ। ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ନେଦରଲାଣ୍ଡ୍‌ସକୁ ଦୁଇ ଥର ହରାଇଛି ଶ୍ରୀଲଙ୍କା। ଏଥି‌ ସହ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଥିଲା ବେଳେ ଶ୍ରୀଲଙ୍କା ପ୍ରତିଥର ଜିତିଛି। ନେଦରଲାଣ୍ଡ୍ସ ସମ୍ଭାବ୍ୟ ଦଳ: ବିକ୍ରମଜିତ ସିଂହ, ମ୍ୟାକ୍ସ ଓ’ଦାଉଦ, କଲିନ ଏକରମାନ, ବାସ ଡି’ଲିଡ୍‌, ତେଜା ନିଦାମନୁରୁ, ସ୍କଟ ଏଡୱାର୍ଡ୍ସ (ଅଧିନାୟକ, ୱିକେଟ୍‌ରକ୍ଷକ), ସିବ୍ରାଣ୍ଡ ଇଙ୍ଗେଲବ୍ରେଚ, ରୋ‌ଏଲଫ ଭାନ ଡର ମରୱି, ଲଗନ ଭାନ ବିକ, ଅର୍ଯ୍ୟନ ଦତ୍ତ, ପଲ ଭାନ ମୀକରନ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: ପଥୁମ ନିଶଙ୍କା, କୁସାଲ ପେରେରା/ଦିମୁଥ କରୁଣାରତ୍ନେ, କୁସାଲ ମେଣ୍ଡିସ (ଅଧିନାୟକ, ୱିକେଟ୍‌ରକ୍ଷକ), ସଦୀରା ସମରବିକ୍ରମା, ଚରିଥ ଅସଲଙ୍କା, ଧନଞ୍ଜୟ ଡି’ସିଲ୍‌ଭା, ଦୁନିଥ ୱେଲାଲ‌ାଗେ, ଚାମିକା କରୁଣାରତ୍ନେ, ମହେଶ ଥୀକ୍ଷଣା, ଲାହିରୁ କୁମାରା, ଦିଲସାନ ମଧୁସଙ୍କା।

ସେହିପରି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପ୍‌ରେ ବିପର୍ଯ୍ୟୟର ସାମ୍ନା କରିଛନ୍ତି। ଆଫ୍‌ଗାନିସ୍ତାନଠୁ ଇଂଲଣ୍ଡ ଏବଂ ନେଦରଲାଣ୍ଡ୍‌ସଠୁ ଦକ୍ଷିଣ ଆଫ୍ରିକା ହାରିଛନ୍ତି। ତେଣୁ ଉଭୟ ଦଳ ମୁମ୍ବାଇରେ ପ୍ରତ୍ୟାବର୍ତ୍ତନ ଆଶା ନେଇ ପଡ଼ିଆକୁ ଓହ୍ଲାଇବା ଲକ୍ଷ୍ୟ ରଖିଛନ୍ତି। ଚଳିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା (୪୨୮/୫) ନାମରେ ସର୍ବୋଚ୍ଚ ସ୍କୋର୍‌ ରହିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ୧୦୦ରୁ ଊର୍ଦ୍ଧ୍ବ ରନ୍‌ରେ ହରାଇ ଚମତ୍କାର ଆରମ୍ଭ କରିଥିଲା। ହେଲେ ବର୍ଷା ବାଧାପ୍ରାପ୍ତ ଧର୍ମଶାଳା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସଠୁ ହାରି ଯାଇଥିବାରୁ ଦଳ ଚାପରେ ରହିଛି। ପୁଣି ଥରେ ଏହାର ଖେଳାଳି ପ୍ରତି ବିଭାଗରେ ଭଲ କରିବା ସହ ଇଂଲଣ୍ଡକୁ ହରାଇ ମନୋବଳକୁ ଦୃଢ଼ କରିବାକୁ ଚେଷ୍ଟା କରିବେ।

ଅନ୍ୟପକ୍ଷରେ କାଗଜ କଲମରେ ଇଂଲଣ୍ଡ ବିପଜ୍ଜନକ ଦଳ। କିନ୍ତୁ ଏହି ଦଳ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ପାଇଛି। ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନଠୁ ହାରିଥିଲା ବେଳେ କେବଳ ବାଂଲାଦେଶକୁ ପରାସ୍ତ କରିଛି। ପ୍ରଥମ ୩ ମ୍ୟାଚ୍‌ ଖେଳିନଥିବା ତାରକା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ୱାଙ୍ଖ୍‌ଡ଼େରେ ଫେରିବାର ସମ୍ଭାବନା ଥିବାରୁ ଦଳ ଉଲ୍ଲସିତ ଅଛି। ଅଧିନାୟକ ଜୋସ ବଟ୍ଟଲର (୪୬, ୨୦, ୯) ଶ୍ରେଷ୍ଠ ଦେବାରେ ବିଫଳ ‌ହୋଇଛନ୍ତି। ମଧ୍ୟଭାଗରେ ଲିଆମ ଲିଭିଂଷ୍ଟୋନ (୨୦, ୦, ୧୦) ମଧ୍ୟ କିଛି କରିପାରି ନାହାନ୍ତି। ଜୋ ରୁଟ୍‌ ଦୁଇଟି ଅର୍ଦ୍ଧଶତକ କରିଥିଲା ବେଳେ ଦାୱିଦ ମଲାନ ଶତକ ଅର୍ଜନ କରିଛନ୍ତି। ବୋଲିଂରେ ରିସି ଟପଲେ (୫ ୱିକେଟ୍‌), ମାର୍କ ଉଡ୍‌ (୩ ୱିକେଟ୍‌) ଓ ଆଦିଲ ରସିଦ (୪ ୱିକେଟ୍‌) ବିଫଳ ହୋଇଛନ୍ତି। ଦିନିକିଆ ବିଶ୍ବକପ୍‌ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଜୟ ପରାଜୟ ବ୍ୟବଧାନ ୪-୩ ରହିଛି।

ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ଦାୱିଦ ମଲାନ, ହାରି ବ୍ରୁକ୍, ଜୋ ରୁଟ୍‌, ମୋଇନ ଅଲୀ, ଲିଅମ ଲିଭିଂଷ୍ଟୋନ/ବେନ ‌ଷ୍ଟୋକ୍ସ, କ୍ରିସ୍‌ ୱକ୍ସ, ଜନି ବେୟାରଷ୍ଟୋ, ‌ଜୋସ ବଟ୍ଟଲର (ଅଧିନାୟକ, ୱିକେଟରକ୍ଷକ), ଆଦିଲ ରସିଦ, ମାର୍କ ଉଡ୍‌, ରିସି ଟପଲେ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ରାଶି ଭାନ୍‌ ଦର ଦୁସେନ, ତେମ୍ବା ବଭୂମା (ଅଧିନା‌ୟକ), ଡେଭିଡ ମିଲର, ଐଦେନ ମାରକ୍ରମ, ମାର୍କୋ ୟାନସେନ, କ୍ବିଣ୍ଟନ ଡି’କକ୍‌ (ୱିକେଟ୍‌ରକ୍ଷକ), ହେନରିକ କ୍ଲାସେଁ, ଲୁଙ୍ଗି ଏନ୍‌ଗିଡ଼ି, ତାବ୍ରିଜ ସାମସି, କାଗିସୋ ରବାଦା, କେଶବ ମହାରାଜ।

Exit mobile version