Site icon ଆଜିକାଲି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ

ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନ୍ମଦିନରେ ମହିଳାଙ୍କୁ ସୁଭଦ୍ରା ଯୋଜନା ଭେଟି ଦେବେ । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ସହ ଏହି ଯୋଜନାରେ ହିତାଧିକାରୀଙ୍କୁ ପ୍ରଥଢ଼ କିସ୍ତି ବଣ୍ଟନ କରିବେ। ଆଜି ଦିନ ୧୨ଟାରେ ଜନତା ମଇଦାନରେ ପହଞ୍ଚିବେ ମୋଦୀ। ପ୍ରଥମ କିସ୍ତିରେ ୧୦ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏନେଇ ଜନତା ମୈଦାନରେ ବିଶାଳ ସଭାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ହଜାର ଲୋକଙ୍କ ସମେତ ୫୦ହଜାର ମହିଳା ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜଧାନୀରେ ୮୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଲୋକଙ୍କ ଯିବା ଆସିବା ଓ ଗାଡି ପାର୍କିଂ ପାଇଁ କଟକଣା ଜାରି କରାଯାଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଲାଗୁ ହେବ। କେବଳ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌, କେନ୍ଦ୍ରୀୟ ନେତା ଓ ଭିଭିଆଇପିଙ୍କ ପାଇଁ ଏହି ରାସ୍ତା ଖୋଲା ରହିବ । ଅଗ୍ନିଶମ ଗାଡି ଓ ଆମ୍ବୁଲାନ୍ସ ଏହି ରାସ୍ତାରେ ଯାଇପାରିବ ।

କଟକଣା :

ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ଯାତାୟତ ପାଇଁ କଟକଣା ରହିବ
କ୍ରାଉନ ହୋଟେଲ ଓ ଆଚାର୍ଯ୍ୟ ବିହାରଠାରୁ ସର୍ଭିସ୍‌‌ ରାସ୍ତାରେ ଗାଡି ଜୟଦେବ ବିହାର ଆଡକୁ ଯିବନାହିଁ
ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯାଇ ଗୁରୁକେଳୁ ଚରଣ ପାର୍କକୁ ଯିବ, ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବେ।
ଶିଖରଚଣ୍ଡିରୁ ପଥର ଗାଡିଆ ଦେଇ ଡିଏନ୍‌‌ ସ୍କୁଲଠାରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ଫାୟାର ଷ୍ଟେସନ ଛକରେ ପହଞ୍ଚି ପାରିବେ।
ଜୟଦେବ ବିହାରରୁ ନନ୍ଦନକାନନ ଯାଉଥିବା ଗାଡି ଆଚାର୍ଯ୍ୟବିହାର ଦେଇ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ପଟେ ଡମଣା ଛକରେ ବାହାରିବେ।
ଫାୟାର ଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡ଼ିଓ ଛକ ରାସ୍ତା ପଟେ ଡିଏନ୍‌‌ ସ୍କୁଲରୁ ପଥରଗାଡିଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ।
କଟକ ପଟୁ ଆସୁଥିବା ଏନଏଚ-୩୧୬ ଦେଇ ଭୁବନେଶ୍ୱର ଆଡକୁ ଆସିପାରିବେ କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ।
ବେହେରା ସାହି ଆଡୁ ଜୟଦେବ ବିହାର ଆଡକୁ ଆସୁଥିବା ଯାନବାହନ ଗୁଡିକ ଜୟଦେବ ବିହାର ଆଡକୁ ନଯାଇ ବେହେରା ସାହିଠାରୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ।
ଏହି ସମୟରେ କଟକ ପଟୁ ଆସୁଥିବା ଯାନବାହାନ ଗୁଡିକ ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଶେଷ ଠାରେ ଥିବା କଟ ଦେଇ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ।
ମୋଦୀଙ୍କ ଗସ୍ତ ଲାଗି ଜାରି ହୋଇଥିବା ଟ୍ରାଫିକ କଟକଣାରୁ ଜରୁରୀକାଳୀନ ସେବା ଫାୟାର ବ୍ରିଗେଡ ଓ ଆମ୍ବୁଲାନ୍ସକୁ ବାଦ ଦିଆଯାଇଛି।

ବସ୍‌ରେ ଆସିଲେ କେଉଁଠି ଓହ୍ଲାଇବେ?

କଟକ ପଟୁ ଆସୁଥିବା ବସ୍‌ଗୁଡି଼କ ରସୁଲଗଡ଼ ରେଳୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରୁ ଡାହାଣ ପାଶ୍ୱର୍କୁ ମୋଡି଼ବ । ସୈନିକ ସ୍କୁଲ ରାସ୍ତା ଦେଇ ନାଲ୍‌କୋ ଛକ ନିକଟ ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ କର୍ମୀମାନଙ୍କୁ ଓହ୍ଲାଇ ପାରିବ । ସେଠାରୁ ବସ୍‌ଗୁଡି଼କ ଜାଭିୟର- ହାତିଆଶୁଣୀ ଛକ ରାସ୍ତାର ଉଭୟ ପାଶ୍ୱର୍ରେ ପାର୍କିଂ କରାଯିବ ।

ଖୋର୍ଦ୍ଧା ଆଡୁ ବସ୍‌ରେ ଆସୁଥିବା କର୍ମୀମାନେ ଜୟଦେବବିହାର ଫ୍ଲାଏ ଓଭର ଅତିକ୍ରମ କରି ସର୍ଭିସ ରୋଡ ଦେଇ ଆଚାର୍ଯ୍ୟବିହାର ଛକରୁ ବାମକୁ ମୁହାଇଁବେ । ସୈନିକ ସ୍କୁଲ ରାସ୍ତା ପାର୍‌ କରି ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ ସାମ୍ନାରେ ସେମାନେ ବସ୍‌ ରଖିବେ । ପରେ ନାଲ୍‌କୋ ଛକରୁ ସମାନ ରାସ୍ତା ଦେଇ ଜାଭିଅର ଛକ-ହାତିଆଶୁଣୀ ଛକ ରାସ୍ତାରେ ପାର୍କିଂ କରିପାରିବେ ।

କାର, ବାଇକ୍‌ରେ ଆସିଲେ କେଉଁଠି ଓହ୍ଲାଇବେ?

କେହି ଚାରିଚକିଆ ଯାନ କିମ୍ବା ଦୁଇଚକିଆ ଯାନରେ କଟକ ପଟୁ ଆସିଲେ, ରସୁଲଗଡ ରେଳୱେ ଓଭରବ୍ରିଜ୍‌ ଦେଇ ସର୍ଭିସ୍‌ ରୋଡରେ ବାଣୀବିହାର ଛକ, ଆଚାର୍ଯ୍ୟବିହାର ଛକରୁ ଡାହାଣ ପାଶ୍ୱର୍କୁ ମୁହାଇଁବେ । ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତାରେ ପ୍ରେସ ଛକ, ନାଲ୍‌କୋ ଛକ ଦେଇ ଆର୍‌ସିଏନ୍‌ କଟ୍‌ଠାରୁ ବାମ ମୋଡ ନେଇ ଓଏସ୍‌ଏପି ସପ୍ତମ ବାଟାଲିୟନ ପଡିଆରେ ଗାଡି଼ ପାର୍କିଂ କରିପାରିବେ । ନନ୍ଦନକାନନ ପଟୁ ଆସୁଥିବା କାର ବାଇକ୍‌ଗୁଡିକ ନାଲକୋ ଛକ ନିକଟ ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ସମର୍ଥକଙ୍କୁ ଓହ୍ଲାଇ ପାରିବ । କିନ୍ତୁ ଗାଡି଼କୁ ସପ୍ତମ ବାଟାଲିଅନ ପଡି଼ଆରେ ପାର୍କିଂ କରିବାକୁ ପଡିବ ।

କିଏ କେଉଁ ଗେଟ୍‌ରେ ପଶିବେ?

ନିମନ୍ତ୍ରିତ ଅତିଥିମାନେ ସର୍ଭେ ଅଫ୍‌ ଇଣ୍ଡିଆ ଦେଇ ଜନତା ମଇଦାନର ମୁଖ୍ୟ ଫାଟକରେ ଓହ୍ଲାଇ ଅତିଥି ଫାଟକ ଦେଇ ଭିତରକୁ ପ୍ରବେଶ କରିପାରିବେ । ଅତିଥିମାନଙ୍କ ଗାଡି଼ ଜନତା ମଇଦାନ ଭିତରେ ପାର୍କିଂ କରାଯିବା ବ୍ୟବସ୍ଥା ହୋଇଛି । ଦଳୀୟ କର୍ମୀ ସପ୍ତମ ବାଟାଲିୟନ ପଡି଼ଆ କିମ୍ବା ସର୍ଭେ ଅଫ ଇଣ୍ଡିଆରେ ଗାଡି଼ ରଖି ଚାଲିକି ଜନତା ମଇଦାନର ୩ ନମ୍ବର ଗେଟ୍‌ ପଟେ ସମାରୋହ ସ୍ଥଳକୁ ଯିବେ ।

Exit mobile version