Site icon ଆଜିକାଲି

ମାଇନିଂ ରୋଡରେ ଟ୍ରାଫିକ ଜାମ୍‌, ଗାଡି ଚଳାଚଳ ହେଉଛି ବାଧାପ୍ରାପ୍ତ

କେନ୍ଦୁଝର, କେନ୍ଦୁଝର ସହରର ମାଇନିଂ ରୋଡରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକର ପାର୍କିଂ ସ୍ଥଳ ନଥିବାରୁ ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଛି। ଫଳରେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି। ଆଜି ମଧ୍ୟାହ୍ନରେ ଅଧଘଣ୍ଟା ଧରି ଟ୍ରାଫିକ ଜାମ୍‌ ହୋଇଥିଲା। ଗାଡ଼ି ଗୁଡ଼ିକ ଭିଡ଼ ଭିତରେ ଅଟକି ରହିଥିଲେ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ମାଇନିଂ ରୋଡ୍‌ରେ ଟ୍ରାଫିକ ଜାମ୍‌ ହୋଇଥିଲା। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ଅଟକି ରହିଥିଲେ। ବିଶେଷ କରି ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ଓ ଡାକ୍ତରଖାନା ଯାଉଥିବା ଲୋକେ ଭିଡ଼ରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ରାସ୍ତାରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ି ଗୁଡ଼ିକୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ ରାସ୍ତାକୁ ଲାଗି ବହୁ ସଂଖ୍ୟାରେ ବ୍ୟବସାୟିକ କୋଠା ନିର୍ମାଣ ହୋଇଛି। ଏଠାକୁ ଆସୁଥିବା ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ରଖୁଛନ୍ତି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ସ୍କୁଲ ଯାଉଥିବା ବେଳେ ପାଟଣା ଓ ସାହାରପଡ଼ା ଡାକ୍ତରଖାନାରୁ ବହୁ ସଂଖ୍ୟାରେ ରୋଗୀ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ଏହି ଅଞ୍ଚଳଟି ଏକ ଆବାସିକ ଜୋନ୍‌ ହୋଇଥିବା ସତ୍ତ୍ୱେ ପୌରପାଳିକା ପକ୍ଷରୁ ବ୍ୟବସାୟିକ କୋଠା ନିର୍ମାଣ ପାଇଁ କପିରି ଅନୁମତି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଗତ ଏପ୍ରିଲ ମାସରେ ଏନେଇ ଅଭିଯୋଗ ପରେ ସରକାରୀ ଜମିରେ ଓ ଯୋଜନାକୁ ଉଲ୍ଲଂଘନ କରି ଦୋକାନ ଘର କରିଥିବା ୧୫୦ଜଣଙ୍କୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ଉଚ୍ଛେଦ ହୋଇନଥିଲା। ପୌରପାଳିକା ତୁରନ୍ତ ଏ ଦିଗରେ ପଦ‌କ୍ଷେପ ନେବାକୁ ଦାବି ହେଉଛି।

Exit mobile version