Site icon ଆଜିକାଲି

ରାଜ୍ୟ ଶ୍ରମ ସଂସ୍ଥାନରେ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକମାନଙ୍କ ପାଇଁ ତାଲିମ କର୍ମଶାଳା

ଭୁବନେଶ୍ୱର – ଶ୍ରମ ବିଭାଗ ଦ୍ବାରା ରାଜ୍ୟରେ ଅବସ୍ଥାପିତ ବାଷ୍ପୀୟ ପ୍ଳାଣ୍ଟ ଗୁଡିକର ଦୁର୍ଘଟଣା ଶୂନ୍ୟ ଏବଂ ସୁରକ୍ଷିତ ପରିଚାଳନ ନିମନ୍ତେ ସେସବୁରେ ନିୟୋଜିତ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକ ମାନଙ୍କର ଏକ ଦୁଇଦିନିଆ ତାଲିମ କର୍ମଶାଳା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରମ ସଂସ୍ଥାନ ଉପାଧ୍ୟକ୍ଷ ଏବଂ ଶ୍ରମ ବିଭାଗର କମିଶନର ତଥା ଶାସନ ସଚିବ ଆର .ଏସ୍ ଗୋପାଳନ ତାଲିମ କର୍ମଶାଳାକୁ ଉଦଘାଟନ କରିଥିଲେ । ବାଷ୍ପୀୟ ପ୍ଳାଣ୍ଟଗୁଡିକର ନିରାପଦ ପରିଚାଳନା ନିମନ୍ତେ ଦକ୍ଷତା ସମ୍ପନ୍ନ ପରିଚାଳକମାନଙ୍କର ପ୍ରମୁଖ ଭୂମିକା ଥିବାରୁ ସେମାନେ ପାରଦର୍ଶୀ ହେବା ସହିତ ଦାୟିତ୍ବ ସମ୍ପନ୍ନ ହେଲେ ବାଷ୍ପ ବିସ୍ଫୋରଣ ଏବଂ ଅଗ୍ନି ଜନିତ ଅଘଟଣକୁ ସହଜରେ ଏଡ଼ାଇ ଦିଆଯାଇ ବହୁ ଧନଜୀବନକୁ ଆସନ୍ନ ଏବଂ ସମ୍ଭାବ୍ୟ ବିପଦରୁ ରକ୍ଷା କରିବା ସମ୍ଭବ ହୋଇ ପାରିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ନୀତି ରଞ୍ଜନ ସେନ ଶ୍ରମିକମାନଙ୍କର ବୃତ୍ତିଗତ ସୁରକ୍ଷା ଏବଂ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଶିଳ୍ପାୟନରେ ଦୁର୍ଘଟଣା ହ୍ରାସ ପାଇଁ ସଂସ୍ଥାନ ବିଭିନ୍ନ ତାଲିମ କାର୍ଯ୍ୟକ୍ରମମାନ କ୍ରମାଗତ ଭାବେ ଆୟୋଜିତ କରୁଥିବା ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି କାରଖାନା ଏବଂ ବାଷ୍ପୀତ୍ର ଉପ ନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନ ତାଲିମ ଦ୍ବାରା ଦୁର୍ଘଟଣା ନିୟନ୍ତ୍ରଣ ସମ୍ଭବ ହୋଇପାରିବ ବୋଲି କହିଥିଲେ । ପୂର୍ବରୁ ରାଜ୍ୟର ବିଭିନ୍ନ ବାଷ୍ପୀୟ ପ୍ଳାଣ୍ଟରେ ନିୟୋଜିତ ୧୦୦ ଜଣ ଦକ୍ଷତା ସମ୍ପନ୍ନ ପରିଚାରକ ତାଲିମପ୍ରାପ୍ତ ହୋଇ ସାରିଥିବା ବେଳେ ଚଳିତ ଦୁଇଦିନିଆ କର୍ମଶାଳା ରେ ଆଜି ୫୦ ଜଣ ଯୋଗ ଦେଇଥ‌ିବା ବେଳେ ଆସନ୍ତାକାଲି ଉକ୍ତ କର୍ମଶାଳାର ଅନ୍ତିମ ଦିବସରେ ଆଉ ୫୦ ଜଣ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Exit mobile version