Site icon ଆଜିକାଲି

ନକଲି ଆକାଉଣ୍ଟ୍ ବୃଦ୍ଧି ଯୋଗୁଁ ବ୍ଲୁ ଟିକ୍ ସବସ୍କ୍ରିପସନ୍ ବନ୍ଦ କଲା ଟ୍ବିଟର


ନୂଆଦିଲ୍ଲୀ : ବ୍ଲୁ ଟିକ୍ ପାଇଁ ୮ ଡଲାରର ସବସ୍କ୍ରିପସନକୁ ଟ୍ବିଟର ସାମୟିକ ପାଇଁ ବନ୍ଦ କରିଦେଇଛି। ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ପ୍ରଥମ ଥର ପାଇଁ କମ୍ପାନୀ ଏକ ବଡ଼ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି।

ବ୍ଲୁ ଟିକ୍ ପାଇଁ ମସ୍କ ଏକ ନୂଆ ୮ ଡଲାରର ଦେୟଯୁକ୍ତ ନିୟମ ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ବନ୍ଦ କରିଦିଆଯାଇଛି | ବ୍ଲୁ ଟିକ୍ ସବସ୍କ୍ରିପସନ ଆରମ୍ଭ ହେବା ଦିନଠୁଁ ଟ୍ବିଟରରେ ହଠାତ୍ ଫେକ୍ ଆକାଉଣ୍ଟ ସଂଖ୍ୟା ବଢ଼ି ଯାଇଥିଲା । ଏହି କାରଣ ଯୋଗୁଁ ବ୍ଲୁ ଟିକ୍ ସବସ୍କ୍ରିପସନ୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି ।

ବ୍ଲୁ ଟିକ୍ ସବସ୍କ୍ରିପସନ୍ ଲାଗୁ ହେବା ପରଠାରୁ ଅନେକ ବଡ଼ ବ୍ରାଣ୍ଡ, ରାଜନେତା, ସେଲିବ୍ରିଟି, ବିଶିଷ୍ଟ ବ୍ୟକ୍ତିଙ୍କ ନକଲି ଆକାଉଣ୍ଟ୍ ସୃଷ୍ଟି ହୋଇଯାଇଥିଲା ଏବଂ ସେମାନେ ମଧ୍ୟ ବ୍ଲୁ ଟିକ୍ ପାଇଥିଲେ | ଏହି କାରଣରୁ ୟୁଜର ମାନେ କୋଉଟା ଅସଲି ଓ କେଉଁଟା ନକଲି ସେନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ ।

ଏପରି ଏକ ମାମଲାରେ ଅଗ୍ରଣୀ ଫାର୍ମା କମ୍ପାନୀ ‘ଏଲି ଲିଲି’ର ଏକ ନକଲି ଆକାଉଣ୍ଟ ତିଆରି କରାଯାଇ ‘ଇନସୁଲିନ୍ ଫ୍ରି’ ବୋଲି ଟୁଇଟ୍ କରାଯାଇଥିଲା । ଏହା ପରେ ଲୋକେ ଦ୍ବନ୍ଦ୍ବରେ ପଡ଼ିଥିଲେ। ଏଥିପାଇଁ ଏହି କମ୍ପାନୀ ସ୍ପଷ୍ଟୀକରଣ ଦେଇଥିଲା । ଏହାର ନକଲି ଆକାଉଣ୍ଟରୁ ଏଭଳି ଟ୍ବିଟ୍ ହୋଇଥିବା କହି କମ୍ପାନୀ କ୍ଷମା ମାଗିଥିଲା ।

ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ସେବାରେ ୟୁଜରଙ୍କୁ ମାସକୁ ୮ ଡଲାର ଚାର୍ଜ କରାଯାଇଥିଲା । ପୂର୍ବରୁ ବ୍ଲୁ ଟିକ୍ ପାଇଁ କୌଣସି ଟଙ୍କା ଆଦାୟ କରାଯାଉନଥିଲା। ଏହା ସମ୍ପୂର୍ଣ୍ଣ ମାଗଣା ଥିଲା ଏବଂ କେବଳ ବିଶିଷ୍ଟ ବ୍ୟକ୍ତି ତଥା କମ୍ପାନୀଙ୍କ ଭେରିଫାଏଡ୍ ଆକାଉଣ୍ଟ ପାଇଁ ବ୍ଲୁ ଟିକ୍ ଉଦ୍ଦିଷ୍ଟ ଥିଲା । ତେବେ ଟ୍ବିଟରର ବ୍ଲୁ ଟିକ୍ ସବସ୍କ୍ରିପସନ୍ ପଦକ୍ଷେପ ପରେ ନକଲି ଆକାଉଣ୍ଟକୁ ନେଇ ଚିନ୍ତା ବଢିଛି। ଟ୍ୱିଟର ହେଉଛି ପ୍ରଥମ ସୋସିଆଲ ମିଡିଆ ପ୍ଲାଟଫର୍ମ ଯାହା ଏଭଳି ବଡ଼ ପରିବର୍ତ୍ତନ ଆଣିଛି |

ମାର୍କେଟିଂ କମ୍ପାନୀ ଏମଏଏ ଗ୍ଲୋବାଲର ସଭାପତି ଲୁ ପାସ୍କାଲି ଟ୍ୱିଟରରେ କହିଛନ୍ତି ଯେ ଏଲନ୍ ମସ୍କଙ୍କୁ ଜଣେ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ । ଏହା ସହିତ କମ୍ପାନୀର କାର୍ଯ୍ୟରୁ ତାଙ୍କୁ ମଧ୍ୟ ଦୂରରେ ରହିବା ଜରୁରୀ। ସେ କହିଛନ୍ତି, ଏହା ସ୍ପଷ୍ଟ ଯେ ଟ୍ୱିଟର ଚଳାଇବା ମସ୍କଙ୍କ କାମ ନୁହେଁ ।

Exit mobile version