Site icon ଆଜିକାଲି

ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର ଲୋକ ସେବା ଭବନରେ ଅନୁଷ୍ଠିତ ହେବ ଦୁଇ ଦୁନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ। ସମ୍ମିଳନୀରେ ସୁଭଦ୍ରା ଯୋଜନା ଓ ଧାନ କିଣା ଉପରେ ଦିଆଯିବ ଗୁରୁତ୍ଵ। ତୃଣମୂଳ ସ୍ତରରେ ଓଡ଼ିଶା ସରକାରଙ୍କ ଯୋଜନା ପହଞ୍ଚାଇବା ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣୀ ତ୍ଵରାନିତ କରିବା ଉପରେ ମଧ୍ୟ ଦିଆଯିବ ଗୁରୁତ୍ଵ।

ସୂଚନା ଅନୁସାରେ, ଶୁକ୍ରବାର ୯.୧୫ରୁ ସମ୍ମିଳନୀ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ଉଦ୍‌ବୋଧନ ଦେବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କିଭଳି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ତାହା ଉପରେ ଜୋର ଦିଆଯିବ । ନିକଟରେ ରାଜ୍ୟ  ସରକାର ଆରମ୍ଭ କରିଥିବା ‘ସୁଭଦ୍ରା’  ଯୋଜନା ସହ ଆଗକୁ ‘ଆୟୁଷ୍ମାନ ଭାରତ’ ମଧ୍ୟ ଲାଗୁ ହେବା ଉପରେ ଆଲୋଚନା  କରାଯିବ । ଏହି ଯୋଜନାରୁ ଯେଭଳି ଜଣେ ହେଲେ ଯୋଗ୍ୟ  ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ  ଦେବେ ମୁଖ୍ୟମନ୍ତ୍ରୀ । ଭୂତ ରାସନକାର୍ଡଧାରୀଙ୍କୁ ବାଦ୍‌ ଦେଇ ନୂଆ  ଯୋଗ୍ୟଙ୍କୁ ସାମିଲ କରିବାକୁ ଜିଲ୍ଲା ମୁଖିଆମାନେ ଧ୍ୟାନ ଦେବେ ।  ଜିଲ୍ଲାପାଳମାନେ ଅଧିକରୁ ଅଧିକ ବ୍ଲକ ଗସ୍ତ କରି ଲୋକଙ୍କ  ସହ ମିଶିବା ଓ ଜନଶୁଣାଣିରେ ଲୋକଙ୍କ ସମସ୍ୟାର ସମାଧାନ  କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହେବ ।

୫ ବର୍ଷରେ ନୂଆ ଓଡ଼ିଶା  ଗଠନ ପାଇଁ ବିଜେପି ସରକାରଙ୍କ ଯୋଜନାକୁ କିଭଳି ବାସ୍ତବ  ରୂପ ଦିଆଯିବ ତା’ର ମାର୍ଗଦର୍ଶିକା ମଧ୍ୟ ଜିଲ୍ଲାପାଳମାନଙ୍କୁ ପ୍ରଦାନ  କରାଯିବ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ  ସଚିବମାନେ ମାର୍ଗଦର୍ଶନ କରିବେ । ବିକାଶରେ ଆଇନଶୃଙ୍ଖଳାର  ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେଣୁ ସମ୍ମିଳନୀର ଦ୍ୱିତୀୟ ଦିନରେ  ସମ୍ମିଳନୀରେ ଏସ୍‌ପିମାନେ ଯୋଗ ଦେବେ । ଥାନାରେ ଲୋକଙ୍କୁ  ନ୍ୟାୟ ମିଳିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ନେଇ ସମ୍ମିଳନୀରେ  ଚର୍ଚ୍ଚା ହେବ । ରାଜ୍ୟର ବିକାଶ ଓ ସାଧାରଣ ଲୋକଙ୍କ ସମସ୍ୟା  ନେଇ ଜିଲ୍ଲାପାଳ ଓ ଏସ୍‌ପିମାନେ କିଭଳି ଅଧିକ ନିଷ୍ଠାର ସହ କାମ  କରିବେ ତାହାକୁ ବୈଠକରେ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦୁଇ ଦିନର ଏ ସମ୍ମିଳନୀରେ ଓଡ଼ିଶା  ବିକାଶ ପାଇଁ ତୃଣମୂଳସ୍ତରରୁ ରୋଡ୍‌ମ୍ୟାପ ତିଆରି ହେବ ବୋଲି  ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି । ଗାଁରୁ ବିକାଶକୁ ଆଗକୁ ନେବାକୁ  ବ୍ଲକ ବିଡିଓ ଓ ତହସିଲଦାରଙ୍କୁ ନେଇ ମଧ୍ୟ ସମ୍ମିଳନୀ କରାଯିବ  ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

Exit mobile version