Site icon ଆଜିକାଲି

ହୀରାକୁଦରେ ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ କରିବେ ଦୁଇ ଡାକ୍ତରୀ ଟିମ୍

ସମ୍ବଲପୁର – ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ୨ଟି ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ହସ୍ପିଟାଲ ଓ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ ଡାକ୍ତରୀ ଟିମ୍ । ଗତକାଲି କାଲି ଭୀମ୍‌ସାରର ଏକ ଟିମ୍‌ ମଧ୍ୟ ହସ୍ପିଟାଲ ଓ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲା । ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୧୫୩ ଜଣ ଆକ୍ରାନ୍ତ ହୋଇଛନ୍ତି। ହୀରାକୁଦ ସହରରେ ଗତ ୨୧ ତାରିଖରୁ ଝାଡାବାନ୍ତି ବ୍ୟାପୁଛି । ଉତ୍ତରାଞ୍ଚଳ ଆରଡିସି ଶ୍ରୀକାନ୍ତ ପୃଷ୍ଟି ,ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସମ୍ବଲପୁର ସିଡିଏମପିଏଚଓ ଓ ଏଡିଏମଓ ଗତକାଲି ହୀରାକୁଦ ହସ୍ପିଟାଲ ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆରଡିସି ଓ ଜିଲ୍ଲାପାଳ ହୀରାକୁଦ ହସ୍ପିଟାଲ ଯାଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା ସେବାର ତଦାରଖ କରିଛନ୍ତି । କିଛି ଦିନ ତଳେ ବର୍ଷା ହୋଇଥିବା କାରଣରୁ ପାଣି ପାଇପ ଫାଟି ପାନୀୟ ଜଳ ଦୂଷିତ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । କୌଣସି ଗମ୍ଭୀର ସ୍ଥିତି ନାହିଁ, ଅଧିକାଂଶ ଲୋକ ଚିକିତ୍ସିତ ହୋଇ ଘରକୁ ଫେରି ସାରିଛନ୍ତି ବୋଲି ଆରଡିସି କହିଛନ୍ତି । ରୋଗୀଙ୍କ ସଂଖ୍ୟା ଆଜି କମିଛି ଓ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।

ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ଯେ, ହୀରାକୁଦ ହସ୍ପିଟାଲରେ ରୋଗୀଙ୍କ ପାଇଁ ଗୋଟିଏ ପାଇଖାନା ଥିବାବେଳେ ଆଉ ଗୋଟିଏ ପାଇଖାନାର ତୁରନ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଡାକ୍ତର, ରାପିଡ୍ ରେସ୍ପନସ ଟିମ ଅଛନ୍ତି । ବୁର୍ଲା ଭୀମସାରରୁ ଆଉ ଗୋଟିଏ ଡାକ୍ତର ଟିମ ଅଣାଯାଉଛି । ପାନୀୟ ଜଳ ବିଶୋଧନ କରିବାରେ ଅବହେଳା ଥିବା ନେଇ ରିପୋର୍ଟରେ ଜଣାପଡିଲେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Exit mobile version