Site icon ଆଜିକାଲି

ଆସୁଛି ଦୁଇଟି ଘୂର୍ଣ୍ଣିବଳୟ, ପୂଜାରେ ବର୍ଷା ଭୟ

ଭୁବନେଶ୍ୱର : ଆସୁଛି ଦୁଇଟି ଘୂର୍ଣ୍ଣିବଳୟ। ଫଳରେ ପୂଜାରେ ଭିଜିବ ଓଡ଼ିଶା । ଦୁଇ ବର୍ଷ ଧରି କରୋନା ଯୋଗୁଁ କଟକଣାରେ ପୂଜା ହେଉଥିବା ବେଳେ ଚଳିତବର୍ଷ ଧୂମ୍‌ଧାମରେ ପାଳିବାକୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ମାତ୍ର ଏବେ ଘାରିଲାଣି ବର୍ଷା ଭୟ । ଦୁଇଟି ଘୂର୍ଣ୍ଣିବଳୟ ଆଗ ପଛ ହୋଇ ଆସୁଥିବା ବେଳେ ପୂଜାକୁ ବର୍ଷା ଭିଜାଇବା ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି ।

ଆଇଏମ୍‌ଡି ଆକଳନ କହୁଛି, ୨୬ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ହୋଇପାରେ । ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏହା ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଏହା ଓଡ଼ିଶା ଭିତରକୁ ପଶିବାର ସଙ୍କେତ ବି ଦେଖାଉଛି । ଅକ୍ଟୋବର ୧ ବା ୨ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏହା ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବା ସମ୍ଭାବନା ଅଧିକ । ରାଜ୍ୟରେ ବର୍ଷା ସମ୍ଭାବନା ନେଇ ଆଇଏମ୍‌ଡି ହେଲା, ୨୩ରୁ ୨୯ ତାରିଖ ଭିତରେ ବର୍ଷା ହୋଇପାରେ । ତେବେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବ । ୨୮ ଓ ୨୯ ତାରିଖ ବେଳକୁ କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୩୦ରୁ ୬ ତାରିଖ ଭିତରେ ସ୍ୱାଭାବିକ ପାଖାପାଖି ବର୍ଷା ହେବ । ଠାଏ ଠାଏ ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇପାରେ । ଏହା ୨୯ ଯାଏ ସକ୍ରିୟ ରହିବ । ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସଙ୍କେତ ଏବେ ଦେଖାଯାଉନି । ଘୂର୍ଣ୍ଣିବଳୟ ପ୍ରଭାବରେ କମ୍‌ ବର୍ଷା ହେବ । ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ, ଶୁକ୍ରବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖ ଯାଏ ପାଗ ଶୁଖିଲା ରହିବ । ଆଜି ନବରଙ୍ଗପୁରରେ ୨୨.୬ ମିଲିମିଟର ବର୍ଷା ହୋଇଛି । ଭଦ୍ରକ ଓ ରାୟଗଡ଼ାରେ ସାମାନ୍ୟ ବର୍ଷା ହୋଇଛି ।

Exit mobile version