Site icon ଆଜିକାଲି

୨୦୨୨ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ଓଡିଶାରୁ ଦୁଇ ଜଣ ଲେଖକ ମନୋନୀତ

ଭୁବନେଶ୍ବର : ୨୦୨୨ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ରାଜ୍ୟରୁ ଦୁଇଜଣ ଲେଖକ ମନୋନୀତ ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦୁଇଟି ପୃଥକ ପୃଥକ ନୋଟିଫିକେଶନ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ସେପଟେ ମନୋନୀତ ସାହିତ୍ୟିକଙ୍କୁ ଟ୍ବିଟ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନରେନ୍ଦ୍ର ପ୍ରସାଦ ଦାସଙ୍କ ‘କୋଳାହଳ ନା ହଳହଳ’ ରଚନା ପାଇଁ ସମ୍ମାନୀତ ହେବେ । ସେ ବାଳ ସାହିତ୍ୟ ପୁରସ୍କାର ୨୦୨୨ ପାଇଁ ମନୋନୀତ ହୋଇଛନ୍ତି । ସେହିଭଳି ଦିଲ୍ଲୀପ ବେହେରା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୨ ପାଇଁ ମନୋନୀତ ହୋଇଛନ୍ତି । ସେ ରଚନା କରିଥିବା ‘ଲଣ୍ଠନ’ ପାଇଁ ଏହି ଅବସର ପ୍ରାପ୍ତ କରି ପାରିଛନ୍ତି । ଉଭୟଙ୍କୁ ଏକ ଗୋଟିଏ ଲେଖାଏଁ ତାମ୍ର ଖୋଦିତ ଟ୍ରଫି ସହ ୫୦ ହଜାର ଟଙ୍କା ଚେକ୍‌ ପ୍ରଦାନ କରାଯିବ । ଉଭୟଙ୍କ ଉପଲବ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସେ କହିଛନ୍ତି, “କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ବାଳ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ନରେନ୍ଦ୍ର ପ୍ରସାଦ ଦାସ ଓ ଯୁବ ପୁରସ୍କାର ପାଇବାକୁ ମନୋନୀତ ଦିଲ୍ଲୀପ ବେହେରାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଏହା ପ୍ରତ୍ୟେକଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ଉଭୟଙ୍କର ଆହୁରି ସଫଳତା କାମନା କରୁଛି ।”

ଡିସେମ୍ବର ମାସରେ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯିବ । ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୫୫ରେ ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟିକ ଭାବେ ଔପନ୍ୟାସିକ ଗୋପୀନାତ ମହାନ୍ତି ଏହି ସମ୍ମାନ ପାଇଥିଲେ ।

Exit mobile version