Site icon ଆଜିକାଲି

ରିଲ୍ସ କରୁ କରୁ ପାଣି ଭିତରେ ଖସି ପଡ଼ିଲେ ଦୁଇ ଯୁବତୀ

ମାଲକାନଗିରି : ସୋସିଆଲ ମିଡିଆ ଯୁଗରେ କିଛି ଲୋକଙ୍କ ରିଲ୍ସ ନିଶା ବିପଦର କାରଣ ପାଲଟୁଛି । ରିଲ୍ସ କରିବା ସମୟରେ ରିଲ୍ସ ମେକର ମାନେ ନା ସ୍ଥାନ ଦେଖୁଛନ୍ତି ନା ଦେଖୁଛନ୍ତି ସମୟ । ଫଳରେ ଶୁଖିଲାଟାରେ ବିପଦକୁ ଆମନ୍ତ୍ରଣ କରୁଛନ୍ତି । ଖାସ୍ କରି ଯୁବପିଢ଼ୀଙ୍କୁ ଘାରିଛି ଏହି ରିଲ୍ସ ନିଶା । ରାତାରାତି ଫେମସ୍‌ ହେବା ପାଇଁ ଯେକୌଣସି ସ୍ତରକୁ ବି ଖସି ଯାଉଛନ୍ତି ।

ବେଳେ ବେଳେ ରିଲ୍ସ ପାଇଁ ନିଜ ଜୀବନକୁ ବି ବିପଦ ମୁଖକୁ ଠେଲି ଦେଉବା ଏମାନେ ପଛଘୁଞ୍ଚା ଦେଉନାହାନ୍ତି । ଯାହାର ଏକ ଉଦାହରଣ ସାମ୍ନାକୁ ଆସିଛି ।

ରିଲ୍ସ ନିଶା ଏମିତି ଯେ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବତୀ । ରିଲ୍ସ କରୁ କରୁ ଅସାବଧାନତା ଯୋଗୁଁ ପାଣି ଭିତରେ ଖସି ପଡ଼ିଲେ ଦୁଇ ଯୁବତୀ। ପାଣିର ପ୍ରଖର ସୁଅରେ ଭାସି ଯାଇଥିଲେ ଦୁଇ ଜଣ। ବଂଚିବା ପାଇଁ ଚିତ୍କାର କରୁଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ ।

ତେବେ ଚିତ୍କାର ଶୁଣି ଏମାନଙ୍କ ସହ ଯାଇଥିବା ଦୁଇଜଣ ଡ୍ରାଇଭର ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ମରଣ ମୁହଁରୁ ଏମାନଙ୍କୁ ଟାଣି ଆଣିଥିଲେ। ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ନିଟକ ଗୁମ୍ମାଝରଣ ଜଳପ୍ରପାତର ।

ଗତକାଲି କୁଡୁମୁଲୁଗୁମ୍ମାର ଏହି ଦୁଇ ଯୁବତୀ ପରିବାର ସହ ପିକନିକ ପାଇଁ ଏଠାକୁ ଆସିଥିଲେ। ତେବେ ସେଠାରେ ବୁଲାବୁଲି କରିବା ବେଳେ ରିଲ୍ସ କରୁଥିଲେ। ସେହି ସମୟରେ ଗୋଡ ଖସି ଯିବାରୁ ପାଣିରେ ପଡ଼ି ଯାଇଥିଲେ । ତେବେ ଗୋବିନ୍ଦପାଲ୍ଲିର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ ଓ ଦୀପକ ଗୌଡ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ଯୁବତୀ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ଗୁମ୍ମାଝରଣ ଜଳପ୍ରପାତ ବୁଲିବାକୁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏଠାରେ ସୁରକ୍ଷା ବାଡ ନଥିବାରୁ ଏମିତି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Exit mobile version