Site icon ଆଜିକାଲି

ରାଜ୍ୟରେ ଘନ ଘନ ବିଦ୍ୟୁତ କାଟ୍‌କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ରାଜ୍ୟରେ ଦୈନିକ ଘନ ଘନ ବିଦ୍ୟୁତ କାଟ୍‌ ହେଉଛି । ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ବକ୍ତବ୍ୟ ଶୁଣିବାକୁ ମିଳୁଛି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ । ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ ଓ ଲୋକମାନେ ଆଲୋକ ପାଆନ୍ତି । କିନ୍ତୁ ଯେମିତି ଦୀପ ତଳ ଅନ୍ଧାର, ସେମିତି ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ ପ୍ରକଳ୍ପ ଥିବାପରେ ବି ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକ ହଇରାଣ ହେଉଛନ୍ତି ।

ଓଡ଼ିଶାରେ ଗଭର୍ଣ୍ଣାସ୍ ଡେଫିଶିଟ ଓଡ଼ିଶାରେ ହୋଇସାରିଲାଣି । ଏଠିକାର ଶାସକ ଦଳର ନିର୍ବାଚିତ ପ୍ରତିନିଧିମାନେ ତାଙ୍କ କାମରେ ନାହାନ୍ତି । ଯେଉଁମାନେ ସମ୍ଭାଳିବା କଥା ସେମାନେ ପ୍ରଚାର ଧର୍ମୀ କାମରେ ଲାଗିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟକୁ ନାପସନ୍ଦ କଲେ ଧର୍ମେନ୍ଦ୍ର । ସିଏ ସେଦିନ ଟୁଇଟ କରି କହିଲେ ଯେ ଏ ପ୍ରକାର କାମ ଚାଲିବ ନାହିଁ । ଯଦି ଶାସନ ମୁଖ୍ୟ ଶାସନ ବ୍ୟବସ୍ଥା ହୁଗୁଳି ଗଲା ପରେ ଚଳିବନି ବୋଲି କହିବେ, ତେବେ କିଏ ଚଲାଇବ ।

ଶକ୍ତି ମନ୍ତ୍ରୀ ବିତଣ୍ଡା ତର୍କ ବଢ଼ୁଛନ୍ତି । ମନ୍ତ୍ରୀ ଓ ସଚିବମାନଙ୍କ ବକ୍ତବ୍ୟରେ ମେଳନାହିଁ । ତେଣୁ ଏହା ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଆଡ଼କୁ ଯାଉଛି । ବୟାନବାଜି ଏବଂ ସାଙ୍କେତିକ କାମରୁ ସରକାର ନିବୃତ୍ତ ହୋଇ ଗଭର୍ଣ୍ଣାସ୍ କାମରେ ଲାଗନ୍ତୁ । ଯେଉଁ କମ୍ପାନୀକୁ ବିଜୁଳି ବିତରଣ ଦାୟିତ୍ଵ ଦେଇଛନ୍ତି, ତାଙ୍କ ସହ ନିଶ୍ଚିତ ଭାବେ ଚୁକ୍ତି କରିଥିବେ ଯେ, ଲୋକଙ୍କୁ ସୁଷମ ବିଜୁଳି ବଣ୍ଟନ ହେବ । ତେଣୁ ଯେଉଁ ଚୁକ୍ତି କରିଥିବେ, ତାକୁ କ୍ରିୟାନ୍ଵୟନ କରନ୍ତୁ । ଲୋକ ପ୍ରଭାବିତ ହେବା ସ୍ବାଭାବିକ । ଲୋକ ଟିକସ ଦେଉଛନ୍ତି, ବିଦ୍ୟୁତ ଦେୟ ଦେଉଛନ୍ତି । ତାପରେ ବି ଏ ଖରା ଓ ଅସହ୍ୟ ଗୁଳୁଗୁଳି ବେଳେ ଅଭାବନୀୟ ପରିସ୍ଥିତି ହେଉଛି । ତେଣୁ ଯେତେବେଳେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡେ, ସେତେବେଳେ ଲୋକଙ୍କୁ ଏ ପ୍ରକାର ଦୁର୍ଦ୍ଦଶା ଭୋଗିବା ପାଇଁ ପଡେ ।

ଯେତେବେଳେ ମନ୍ତ୍ରୀ କହିବେ, ଏଇଟା ପାୱାର କଟ୍ ନୁହେଁ । ମୁଖ୍ୟ ଶାସନ ସଚିବ ଆଙ୍ଗୁଳି ଦେଖାଇବେ ବିତରଣ କମ୍ପାନୀକୁ । ବିତରଣ କମ୍ପାନୀ କିଏ ବାଛିଲା, କିଏ ଦେଲା, ସର୍ତ୍ତ ଅଛି ନା ନାହିଁ । ଯଦି ଶାସନରେ ଥିବା ବ୍ୟକ୍ତିମାନେ ଓଡ଼ିଆ ଲୋକମାନେ ଏତେ ସରଳ ଓ ବୋକା ବୋଲି ଭାବୁଛନ୍ତି, ତାହେଲେ ଏହା ଗଣତନ୍ତ୍ରର ଭଲ ଲକ୍ଷଣ ନୁହେଁ ।

Exit mobile version