ନୂଆଦିଲ୍ଲୀ : ସୋମବାର ସଂସଦ ଅଧିବେଶନ ଆରମ୍ଭ ହେବା ପରେ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବିରୋଧୀମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ନୂଆ ଫୌଜଦାରୀ ଆଇନ ବିରୋଧରେ ହୋହଲ୍ଲା କରିଥିଲେ। ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ବାହାରେ ପ୍ରତିବାଦ କରିଥିଲେ। ଅନ୍ୟ କିଛି ବିରୋଧୀ ସାଂସଦ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ବିରୋଧରେ ବିକ୍ଷୋଭ କରିଥିଲେ।
ଲୋକସଭା ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ ବିର୍ଲା ଟିମ ଇଣ୍ଡିଆର ଟି-୨୦ ବିଶ୍ଵକପ ଟାଇଟଲ ବିଜୟ ପାଇଁ ରୋହିତ ଶର୍ମା ଏବଂ ଭାରତୀୟ ଦଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଭିନ୍ନ ଦାବି ନେଇ ବିରୋଧୀ ସାଂସଦମାନେ ହୋହଲ୍ଲା କରିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, କିଛି ନିୟମ ଏବଂ ପରମ୍ପରା ଅନୁସାରେ ସଂସଦ କାର୍ଯ୍ୟ ଚାଲିଥାଏ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବା ପରେ ସମସ୍ତ ଦାବି ଉପରେ ଆଲୋଚନା କରାଯିବ ବୋଲି ରାଜନାଥ କହିବା ସହିତ ନିରବତା ରକ୍ଷା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ କିଛି ବୁଝି ନ ଥିଲେ।