Site icon ଆଜିକାଲି

ଯନ୍ତ୍ରୀଙ୍କ ଘରେ ଟଙ୍କାର ପାହାଡ଼ : ଏକାଧିକ କୋଠା, ଫ୍ଲାଟ ଓ ପ୍ଲଟ ଠାବ, ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ବାଲେଶ୍ୱର : ରାଜ୍ୟ ଭିଜିଲାନ୍ସ ବିଭାଗ ବାଲେଶ୍ବର ରୁରାଲ୍‌ ୱାର୍କସ ସର୍କଲ ମୁଖ୍ୟଯନ୍ତ୍ରୀ ଏନ୍‌.ଭି. ହରିହର ରାଓଙ୍କ ବିପୁଳ ସଂପତ୍ତି ଠାବ କରିଛି। ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଯନ୍ତ୍ରୀ ଏନ୍‌ଭି ହରିହର ରାଓଙ୍କ ବାଲେଶ୍ୱରର ଅଫିସ ଚ୍ୟାମ୍ବର ଓ ସରକାରୀ କ୍ୱାଟର ସମେତ ଭୁବନେଶ୍ୱର, ବ୍ରହ୍ମପୁର, କେନ୍ଦୁଝର, ଫୁଲବାଣୀର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ସମ୍ପତ୍ତି ଠାବ କରାଯାଇଛି । ଏହା ମଧ୍ୟରେ ରହିଛି ୨ଟି କୋଠା, ଗୋଟିଏ ଫ୍ଲାଟ ଓ ୫ଟି ଦାମୀ ପ୍ଲଟ୍ । ସେହିପରି ତାଙ୍କର ଦୁଇଟି ବେନାମୀ ଫ୍ଲାଟ ଠାବ କରାଯାଇଛି । ବ୍ୟାଙ୍କରେ ୨.୧୦କୋଟି ଟଙ୍କା ଜମା ଥିବା ବେଳେ ଷ୍ଟକସ୍ ଓ ମ୍ୟୁଚୁଆଲ୍ ଫଣ୍ଡରେ ୧.୩୨କୋଟି ଟଙ୍କାର ନିବେଶ ହୋଇଥିବା ଜଣାପଡ଼ିଛି । ୫୧୦ ଗ୍ରାମ୍ ସୁନା ଓ ୩ଶହ ଗ୍ରାମ୍ ରୂପା ଅଳଙ୍କାର ମିଳିଛି । ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ମଧ୍ୟ ରହିଛି । ସେହିପରି ତାଙ୍କ ଶାଳକଙ୍କ ଘରୁ ନଗଦ ୪୬.୪୫ ଲକ୍ଷ ଟଙ୍କା ଜବତ କରାଯାଇଛି ।

ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ୨ଟି କୋଠା ମଧ୍ୟରୁ ଗୋଟିଏ ବ୍ରହ୍ମପୁରର ଭବିନିପୁର (ପ୍ଲଟ ନଂ.-୪୫୯୨)ରେ ରହିଛି । ତାହା ୨୧ଶହ ବର୍ଗଫୁଟ ଅଞ୍ଚଳରେ ଥିବା ବେଳେ ଅନ୍ୟ କୋଠାଟି ଭୁବନେଶ୍ୱରର ପାତ୍ରପଡ଼ା (ପ୍ଲଟ ନଂ.-୨୮୪)ରେ ରହିଛି, ଯାହା ୩୦୦୦ବର୍ଗ ଫୁଟ୍ ଅଞ୍ଚଳରେ ନିର୍ମିତ ହୋଇଛି । ବ୍ରହ୍ମପୁରର ବୈଦ୍ୟନାଥପୁରର ସ୍ପେକ୍ଟ୍ରମ ଗ୍ରୀନ୍ ଆପାର୍ଟମେଣ୍ଟରେ ତାଙ୍କର ଏକ ୩୦୦୦ବର୍ଗ ଫୁଟ୍‌ର ଥ୍ରି-ବିଏଚ୍‌କେ ଫ୍ଲାଟ ଅଛି । ଏଥିସହିତ ତାଙ୍କର ୨ଟି ବେନାମୀ ଫ୍ଲାଟ ଥିବା ସନ୍ଦେହ କରାଯାଉଛି । ସେଥିରୁ ଗୋଟିଏ ଭୁବନେଶ୍ୱରର ସୁନ୍ଦରପଦାରେ ଓ ଅନ୍ୟଟି ବ୍ରହ୍ମପୁରର ବୈଦ୍ୟନାଥନଗରର ସ୍ୱସ୍ତିକ ଆପାର୍ଟମେଣ୍ଟରେ ରହିଛି । ଏହାର ମାଲିକ କିଏ ତାହା ସ୍ପଷ୍ଟ କରିବାକୁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି । ସେହିପରି ଶ୍ରୀ ରାଓଙ୍କର ୫ଟି ଦାମୀ ପ୍ଲଟ୍ ମଧ୍ୟରୁ ୩ଟି ଭୁବନେଶ୍ୱରରେ, ଗୋଟିଏ ବ୍ରହ୍ମପୁର ଓ ଆଉ ଗୋଟିଏ ଗଞ୍ଜାମ ଜିଲାର ବଡ଼ଗୁମୁଲାରେ ରହିଛି । ତାଙ୍କର ସମସ୍ତ କୋଠା, ଫ୍ଲାଟ ଓ ପ୍ଳଟର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍ ।ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ଶାଳକଙ୍କ ବ୍ରହ୍ମପୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିଲା । ସେଠାରୁ ଭିଜିଲାନ୍ସକୁ ନଗଦ ୪୬.୪୫ ଲକ୍ଷ ଟଙ୍କା ମିଳିଛି । ଶ୍ରୀ ରାଓଙ୍କ ଶାଳକ ବ୍ରହ୍ମପର ଜେଲରେ ଡାକ୍ତର ଅଛନ୍ତି । ଏତେ ପରିମାଣରେ ନଗଦ ଅର୍ଥ କେଉଁଠାରୁ ଆସିଲା, ସେ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି । ତାଙ୍କର ଅନ୍ୟାନ୍ୟ ଜମା, ନିବେଶ ଓ ସମ୍ପତ୍ତି ନେଇ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି । ଓଡ଼ିଶା ଭିଜିଲାନ୍ସର ୧୦ ଟିମ୍‌ରେ ୧୧ ଡିଏସ୍‌ପି, ୭ ଇନ୍ସପେକ୍ଟର, ୧୧ ଏଏସ୍‌ଆଇ ଓ ସହୌଯୋଗୀ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ ।

Exit mobile version