Site icon ଆଜିକାଲି

କୋରାପୁଟ ଦେଇ ଗଡ଼ିଲା ଭିଷ୍ଟାଡୋମ କୋଚ୍

କୋରାପୁଟ : ଜଗଦଲପୁରରୁ କୋରାପୁଟ ଦେଇ ବୁଧବାର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଭିଷ୍ଟାଡୋମ କୋଚ୍ ସେବା ଆରମ୍ଭ ହୋଇଛି । ଏହି ସେବା କୋରାପୁଟ ଦେଇ ଯାଉଥିବା କିରଣ୍ଡୁଲ-ବିଶାଖାପାଟଣା ଏବଂ ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ ଟ୍ରେନରେ ଆରମ୍ଭ କରାଯାଇଛି । ତେବେ ଏଥିରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ଭାରତରେ ପ୍ରଥମ କରି ଯେତେବେଳେ ଭିଷ୍ଟାଡୋମ କୋଚ୍ ସେବା ଆରମ୍ଭ ହୋଇଥିଲା ସେତେବେଳେ ହିଁ ଏହି ଟ୍ରେନରେ ଏହି ସେବା ଆରମ୍ଭ ହୋଇଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗ ଏବଂ ରେଳ ବିଭାଗ ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଥିବାରୁ ଏହା ଓଡ଼ିଶା ଆସି ପାରିନଥିଲା । କେବଳ ଆରାକୁ ଯାଏଁ ଆସିବା ପରେ ଏହି ଟ୍ରେନରୁ ଭିଷ୍ଟାଡୋମ କୋଚ୍ ଗୁଡିକୁ ସେଠାରେ ମୂଳ ରେଳଗାଡ଼ିରୁ ଅଲଗା କରି ପୁଣି ବିଶାଖାପାଟଣା ଅଭିମୁଖେ ଡାଉନ ଟ୍ରେନରେ ସେଗୁଡ଼ିକର ଫେରିବା ବ୍ୟବସ୍ଥା କରାଯାଇଥିଲା । ଏହାକୁ ନେଇ ଗତବର୍ଷ ଅଗଷ୍ଟ ୨୨ ତାରିଖରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

୨୦୧୭ରୁ ଆରାକୁ ଯାଏଁ ଆସୁଥିବା ଏହି କୋଚ୍ ଗୁଡିକୁ ଛତିଶଗଡ଼ର କିରଣ୍ଡୁଲ ଯାଏଁ ସେବା ସଂପ୍ରସାରିତ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି । ଏହାର ସୁବିଧା ଏବେ ତିନି ରାଜ୍ୟର ପର୍ଯ୍ୟଟକ ନେଇପାରିବେ । ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼କୁ ସଂଯୋଗ କରୁଥିବା ଏହି ରେଳଗାଡ଼ିରେ ଟ୍ରାନ୍ସପାରେଣ୍ଟ ଗ୍ଲାସରେ ନିର୍ମିତ ହୋଇଥିବା ଗୋଟିଏ ଗୋଟିଏ କୋଚରେ ୪୨ଟି ସିଟ ରହିଥିବା ବେଳେ ଏଗୁଡ଼ିକ ୩୬୦ ଡିଗ୍ରୀ ରୋଟେବଲ ସିଟ ରହିଛି । ତେବେ ଏହାଦ୍ବାରା ଆନ୍ଧ୍ରପ୍ରଦେଶର ସୀମାଞ୍ଚଳ, ଆରାକୁବୋରା, ଓଡ଼ିଶାର ମାଛକୁଣ୍ଡ, ଶାବର ଶ୍ରୀକ୍ଷେତ୍ର କୋରାପୁଟ, ମାଳିଗୁଡା, ଜୟପୁର, ଛତିଶଗଡ଼ର ତୀର୍ଥଗଡ, ଚିତ୍ରକୁଟ ଭଳି ପର୍ଯ୍ୟଟନ କ୍ଷେତ୍ରକୁ ଯେଉଁ ପର୍ଯ୍ୟଟକ ମାନେ ଆସୁଥିଲେ ସେମାନେ ଏବେ ଏହାର ମଜା ନେଇ ପାରିବେ ।

Exit mobile version