Site icon ଆଜିକାଲି

ହିନ୍ଦୋଳରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ

ହିନ୍ଦୋଳ – ହିନ୍ଦୋଳରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଦଳର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ବିଜେଡି ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବା ସହ ବିରୋଧୀ ଦଳ ନେତାଙ୍କ ଉପରେ ବର୍ଷିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ ବୋଲି ସେ କହିବା ସହ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି । ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁ ଦୁଃଖର କଥା ବୋଲି ସେ କହିଛନ୍ତି।

ପାଣ୍ଡିଆନ କହିଛନ୍ତି ଯେ, ବିଜେପୁର ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ି ୪୦ ହଜାର ଭୋଟରେ ହାରିଲେ ।ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ । ଓଡ଼ିଶାର ମହାନାୟକଙ୍କୁ ବିରୋଧୀ ଦଳ ଗାଳି ଦେଉଛନ୍ତି । ହେଲେ ଆପଣମାନଙ୍କ ଆଶୀର୍ବାଦ ବଳରେ ଏଥର ବି ସେମାନଙ୍କୁ ପରାଜୟ ଗ୍ରହଣ କରିବେ ବୋଲି ହିନ୍ଦୋଳ ସଭାରେ କହିଛନ୍ତି ପାଣ୍ଡିଆନ।

କେନ୍ଦ୍ରମନ୍ତ୍ରୀ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ କିମ୍ୱା ଜବାହର ନବୋଦୟ ବିଦ୍ୟାଳୟ ଖୋଳିଛନ୍ତି କି ? କଟକ-ସମ୍ୱଲପୁର ରାସ୍ତା ଏ ପର୍ଯ୍ୟନ୍ତ କରିପାରିଲେନି । ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୋଲାର ପେନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ ବୋଲି କହିଲେ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ, ଏଇଟା ହେଉଛି ବିଜେପିର ମାଗଣା ବିଜୁଳି ବୋଲି କହି ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ।

ଜୁନ ୯ ତାରିଖରେ ୯.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ, ପ୍ରଥମ ଦସ୍ତଖତ କରିବେ ।ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ରାଜ୍ୟ ସରକାର ଭରଣା କରିବେ । ଡବଲ ଇଞ୍ଜିନ ସରକାର ଦିନରେ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି, ଲଣ୍ଠନ ଦେଖାଉଛନ୍ତି । ନିର୍ବାଚନ ସରିଗଲେ ଏମାନଙ୍କୁ ଆପଣ ଖୋଜିଲେ ବି ପାଇବେନି ବୋଲି ପାଣ୍ଡିଆନ କହିଛନ୍ତି।

ବିଜେଡି ନେତା କହିଛନ୍ତି ଯେ, ଆଜି ସକାଳେ ବିଜେପିର ଟାଣୁଆ ନେତାମାନେ ମିଶି ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ । କିନ୍ତୁ ନିଜ ନିଜ ଭିତରେ ଝଗଡ଼ା ଲାଗି ବନ୍ଦ ହୋଇଗଲା । ନବୀନ ବାବୁଙ୍କ ବିପକ୍ଷରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ କରନ୍ତୁ, ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ । ଏତେ ମିଛ କଥାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାର ମାର୍ଜିନରେ ଆଶୀର୍ବାଦ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରିବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ।

କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ହିନ୍ଦୋଳକୁ ବହୁତ ଭଲ ପାଆନ୍ତି, ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାର ଅଛି ।

Exit mobile version