Site icon ଆଜିକାଲି

ପାଲଲହଡାରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : ଅଞ୍ଚଳବାସୀଙ୍କ ପାଇଁ କିଛି କରିନଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ

ଭୁବନେଶ୍ୱର – ପାଲଲହଡ଼ାରେ ଆଜି ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସ୍ମୃତି ପୀଠ କଥା ଉଲ୍ଲେଖ କରି ମହାନ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପାଣ୍ଡିଆନ କହିଥିଲେ ଯେ, ଦଶ ବର୍ଷ ହେଲା ଏ ମାଟିର ପୁଅ ଜଣେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଏହା ଓଡିଶା ପାଇଁ ଖୁସି ଓ ଗର୍ବର କଥା ।କେନ୍ଦ୍ର ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ, ଚାହିଁଥିଲେ ପ୍ରତି ବ୍ଲକରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥାନ୍ତା, ଗୋଟିଏ ଦସ୍ତଖତରେ ନବୋଦୟ ବିଦ୍ୟାଳୟ ହୋଇଥାନ୍ତା, ହେଲା କି ବୋଲି ପ୍ରଶ୍ନ କରିଥିଲେ। ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିଲେ କି ? ତୈଳ ମନ୍ତ୍ରୀ ଭାବେ ଏଲପିଜି ଦର କମେଇଲେ କି? ପେଟ୍ରୋଲ, ଡିଜେଲ ଦର କମେଇଲେ କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ। ଏହି ପବିତ୍ର ମାଟିର ବରପୁତ୍ରମାନଙ୍କ ସମ୍ମାନ ରଖିବା ପାଇଁ କିଛି କଲେ କି? କିଛି କଲେ ନାହିଁ । ଓଡିଶା ପାଇଁ କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।ଏହା ହେଉଛି ଏ ମାଟିରେ ଜନ୍ମ ହୋଇ ନିଜ ମାଟିକୁ ଭୁଲି ଯିବା ସଦୃଶ ବୋଲି ପାଣ୍ଡିଆନ କହିଛନ୍ତି।ଏଥିପାଇଁ ପ୍ରତ୍ୟେକ ନିର୍ବାଚନରେ ଅଞ୍ଚଳବାସୀ ତାଙ୍କୁ ଉଚିତ୍ ଜବାବ ଦେଉଛନ୍ତି ।

ବିରୋଧୀ ଦଳର ନେତା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଓ ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ନିଜ ମାଟିକୁ ଅବହେଳା କରିଥିବା ପରିଚୟ ନେଇ ଏତେ ସାହସ କେଉଁଠୁ ଆସିଲା ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ପାଇଁ ବୋଲି ପାଣ୍ଡିଆନ ପଚାରିଛନ୍ତି। ଗାଁ ଠାରୁ ସହର ପର୍ଯ୍ୟନ୍ତ ଓଡିଶାର ସମସ୍ତ ଅଞ୍ଚଳର ବିକାଶ ଘଟିଛି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଯୋଗୁ ।

ନିଜ ପଞ୍ଚାୟତ କିମ୍ବା ନିଜ ଅଞ୍ଚଳରେ ଗୋଟିଏ ମନ୍ଦିର କି ଗୋଟିଏ ସ୍କୁଲ କରିପାରିଲେନି କେନ୍ଦ୍ର ମନ୍ତ୍ରୀ, ତା ବି ନବୀନ ପଟ୍ଟନାୟକ କରିଛନ୍ତି ।

ଜୁନ୍‌ ୯ରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଦାୟିତ୍ୱ ନେବେ, ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ୍ ଛାଡ । ମୁଖ୍ୟମନ୍ତ୍ରୀ ବିଜୁଳି ବିଲ୍‌ ଛାଡ କରୁଛନ୍ତି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗୁଛି ପଚାଶ ହଜାର ଭୋଟ ବ୍ୟବଧାନରେ ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପାଣ୍ଡିଆନ ।

ହାରିବା ଆମ କେନ୍ଦ୍ର ମନ୍ତ୍ରୀଙ୍କ ପରିଚୟ ହୋଇଯାଇଛି । କେନ୍ଦ୍ର ମନ୍ତ୍ରୀଙ୍କୁ ଆହ୍ୱାନ କଲେ ।ଆପଣଙ୍କ ନିଜ ମାଟିରେ ଶଙ୍ଖ ବାଜିବ ଜନତାଙ୍କ ଆଶୀର୍ବାଦରେ ।ପାଲଲହଡା ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଜନମତ ସଂଗ୍ରହ କରିଛନ୍ତି ପାଣ୍ଡିଆନ।

Exit mobile version