Site icon ଆଜିକାଲି

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ ଅଗ୍ରଗତିର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ, ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଲୋକାର୍ପିତ ହେବ ଅକ୍ଷର ଭୂମି

ଭୁବନେଶ୍ବର- ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହେଉଛି ଅକ୍ଷରଭୂମି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳେ କଳା ମଣ୍ଡଳ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ଼ ସମ୍ମିଳନୀ କେନ୍ଦ୍ର । ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଏହି ସମ୍ମିଳନୀ କେନ୍ଦ୍ରର ନିର୍ମାଣ ଦାୟିତ୍ଵ ଇଡକୋ ନେଇଛି । ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀକୁ ଚିର ସ୍ମରଣୀୟ କରିବା ପାଇଁ କଳାମଣ୍ଡଳ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଅକ୍ଷର ଭୂମି କାମ ମଧ୍ୟ ପାଣ୍ଡିଆନ ବୁଲି ଦେଖିଥିଲେ । ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯର ଅପୂର୍ବ ନିଦର୍ଶନ ହେବ ।ଏହା ଆମର ମହାନ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟରେ ଅକ୍ଷର ଭୂମି ଭବିଷ୍ୟତ ପୀଢିକୁ ପ୍ରେରଣା ଦେଇଚାଲିବ ଏବଂ ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ ବୋଲି ୫-ଟି ଅଧ୍ୟକ୍ଷ ଆଶା ବ୍ୟକ୍ତ କରିଥିଲେ । ସେଠାରେ ମଧ୍ୟ ଏକ ଓଡ଼ିଆ ଭାଷା ସମ୍ମିଳନୀ ସ୍ମୃତି ତୋରଣ ନିର୍ମାଣ କରାଯାଉଛି ।

ଅକ୍ଷରଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ୫-ଟି ଅଧ୍ୟକ୍ଷ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ । ଏହାର ନିର୍ମାଣ କାର୍ଯ୍ୟ ଉଭୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ସହଯୋଗରେ କରାଯାଉଛି ।ଭବିଷ୍ୟତ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଅଧିକ ଖୋଲା ସ୍ଥାନ ରଖିବା ଏବଂ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବେସମେଣ୍ଟରେ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ସ୍ଥିର କରାଯାଇଥିଲା ।

ପରିସରରେ ଅଧିକ ଗଚ୍ଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ତଥା ବିଭିନ୍ନ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ ।

୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ , ବିଡିଏ ଉପାଧ୍ୟାକ୍ଷ ବଲୱନ୍ତ ସିଂ,ଇଡକୋ ଏମଡି ଭୂପିନ୍ଦର ସିଂ ପୁନିଆ , ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ନିର୍ଦ୍ଦେଶକ ଦିଲୀପ ରାଉତରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version