Site icon ଆଜିକାଲି

ଆଜି ଝାରସୁଗୁଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟଗ୍ରହଣ

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟଗ୍ରହଣ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ ଯାଏ ଚାଲିବ ମତଦାନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏଥିପାଇଁ ବୁଥ, ପୁଲିଂ ଅଫିସର ସବୁ ପ୍ରସ୍ତୁତ କରାଯାଇଛି।

୨୫୩ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର । ପୁରୁଷଙ୍କ ଠାରୁ ଅଧିକ ମହିଳା ଦେବେ ଭୋଟ । ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ୩୭। ମୋଟ୍ ୨୫୩ ବୁଥରୁ ୨୬ଟି ପିଙ୍କ୍ ବୁଥ୍ ଏବଂ ୪୦ ଟି ମଡେଲ୍ ବୁଥ୍ ରହିଛି। ୧୪୪ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ୧୧୯ଟି ବୁଥ୍ କୁ ଜଗିବ ଡ୍ରୋନ୍ କ୍ୟାମେରା । ୬୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି। ଶାନ୍ତିଶୃଖଂଳାର ସହ ନିର୍ବାଚନ ପରିଚାଳନା ପାଇଁ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ , ୧୬ ପ୍ଲାଟୁନ ଆର୍ମଡ ଫୋର୍ସ ସହ ୩୦୦ କନେଷ୍ଟବଳ ଏବଂ ହାବିଲଦାର, ୭ ଡ଼ିଏସପିଙ୍କ ସହ ୧୫୫ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୁଥ୍ ଗୁଡିକରେ ପ୍ରତିକ୍ଷାଳୟ ସହ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଛି। ୪୪ ଜଣ ଶତାୟୁ ଭୋଟର ଭୋଟ ଦେବେ। ନୂଆ ଏବଂ ଶତାୟୁ ଭୋଟରଙ୍କୁ ସ୍ବାଗତ ପାଇଁ ବ୍ୟବସ୍ଥା ହୋଇଛି । ଆଦର୍ଶ ଓ ପିଙ୍କ ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍କ୍ବାସ୍ ପାଣି, ସରବତ, ତରଭୁଜର ବି ବ୍ୟବସ୍ଥା କରାଯାଇଛି। କିଛି ସ୍ଥାନରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଜାରି ରହିଛି।

Exit mobile version