Site icon ଆଜିକାଲି

‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତ ନିମନ୍ତେ ୱେବପୋର୍ଟାଲ ଉନ୍ମୋଚିତ

ଭୁବନେଶ୍ୱର : ଆସନ୍ତା ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ ହେବ। ଆଉ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନରେ ଓଡ଼ିଶାର ଅବଦାନ ମହତ୍ୱପୂର୍ଣ୍ଣ ରହିବ । ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟରେ ପରିଣତ ହେବ ସେନେଇ ରାଜ୍ୟର ମୋହନ ମାଝୀ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଭିଜନ ଡକ୍ୟୁମେଂଟ ପ୍ରସ୍ତୁତି ନିମନ୍ତେ ସାଧାରଣ ଲୋକଙ୍କଠୁ ମତାମତ ଓ ପରାମର୍ଶ ଲୋଡ଼ିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏହି ଭିଜନ ଡକ୍ୟୁମେଂଟ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତ ନିମନ୍ତେ ଏକ ରାଜ୍ୟ ସରକାରଙ୍କ ୱେବପୋର୍ଟାଲକୁ ଉନ୍ମୋଚନ କରିଛନ୍ତି । ବିକଶିତ ଓଡ଼ିଶାର ରୂପରେଖ ଓଡ଼ିଶାର ଲୋକମାନେ ହିଁ ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ଏହି ଭିଜନ ଡକ୍ୟୁମେଂଟ ସଂକ୍ରାନ୍ତ ୱେବପୋର୍ଟାଲକୁ ଉନ୍ମୋଚନ କରି ରାଜ୍ୟବାସୀଙ୍କଠୁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆବଶ୍ୟକ ସୁଚିନ୍ତିତ ମତାମତ ହ୍ୱାଟସଅପ୍ ନମ୍ବର ଓ ଇମେଲ୍ ମାଧ୍ୟମରେ ପଠାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଓଡିଶା ଗଠନ ପାଇଁ ଆମେ ଯେଉଁ ଭିଜନ୍‌ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ, ତାହା ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ ହେବ। ଏହା କେବଳ ଏକ ସରକାରୀ ଦସ୍ତାବିଜ ହେବ ନାହିଁ, ବରଂ ଓଡିଶାର ଜନସାଧାରଣଙ୍କ ଦ୍ୱାରା, ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ ଏପରି ଏକ ଦସ୍ତାବିଜ ହେବ ଯାହା ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ। ସେ ନିଜେ, ତାଙ୍କର ସହଯୋଗୀ ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଗଣ ମଧ୍ୟ ସମାଜର ସବୁ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲୋକଙ୍କ ବିଚାର ଓ ପ୍ରସ୍ତାବ ଉପରେ ଅନୁଶୀଳନ କରିବେ। ଆମେ ସମସ୍ତେ ମିଳିମିଶି ଏପରି ଏକ ଓଡିଶା ଗଠନ କରିବୁ, ଯାହା ଅର୍ଥନୈତିକ ଭାବେ ସମୃଦ୍ଧ ହେବ ଏବଂ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବ। ମାନବ ବିକାଶ ସୂଚକାଙ୍କରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଅର୍ଜନ କରିବ। ଆମ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକଙ୍କ ଇଚ୍ଛା ପ୍ରତିଫଳିତ ହେଉଛି ଏବଂ ହୋଇଚାଲିବ। ୨୦୩୬ ଓ ୨୦୪୭ ର ଓଡିଶା, ଲୋକମାନଙ୍କ ଇଚ୍ଛା ଓ ସ୍ୱପ୍ନର ଏକ ପ୍ରତିଫଳନ ହେବ ବୋଲି ସେ କହିଛନ୍ତି।

Exit mobile version