Site icon ଆଜିକାଲି

ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୧୦ ସହର

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ । ଏବେ ଶୀତର ପ୍ରକୋପ ବଢ଼ିବା ସହ ସନ୍ଧ୍ୟାରୁ ଥଣ୍ଡା ଅନୁଭୂତ ହେଉଛି । ରାତିରେ ଅଧିକ ଶୀତ ହେଉଛି । ଆସନ୍ତା ୩ ଦିନରେ ରାତି ତାପମାତ୍ରା ଆହୁରି ୩ଡିଗ୍ରୀ ଯାଏ କମିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଜି.ଉଦୟଗିରିରେ ଶନିବାର ରାତି ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍‌ ଥିଲା । ରବିବାର ପାରଦ ୭.୮ ଡିଗ୍ରୀକୁ ଖସିଛି। ଫୁଲବାଣୀରେ ୧୨.୫ ଥିଲା । ଦେଢ଼ ଡିଗ୍ରୀ ଖସିଯାଇଛି । ଭୁବନେଶ୍ୱରରେ ପାଖାପାଖି ଦେଢ଼ ଡିଗ୍ରୀ ଖସିଛି । ଆଗକୁ ଆହୁରି ଖସିବ । ରବିବାର ରାଜ୍ୟର ୧୦ ସହରରେ ପାରଦ ୧୫ ଡିଗ୍ରୀ ତଳେ ଥିଲା । ଫୁଲବାଣୀରେ ରାତି ତାପମାତ୍ରା ୧୧ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨, ଅନୁଗୁଳ ଓ ଭବାନୀପାଟଣାରେ ୧୩ ଡିଗ୍ରୀ, ରାଉରକେଲାରେ ୧୩.୧, ଝାରସୁଗୁଡ଼ାରେ ୧୩.୩, ସୁନ୍ଦରଗଡ଼ ଓ ଭଦ୍ରକରେ ୧୪, କେନ୍ଦୁଝରରେ ୧୪.୬, ଢେଙ୍କାନାଳରେ ୧୪.୯ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୬ ଡିଗ୍ରୀ ଓ କଟକରେ ୧୬.୫ ଡିଗ୍ରୀ ରେକର୍ଡ ହୋଇଛି । ଏହାସହିତ ଫୁଲବାଣୀରେ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ଆଜି ଅନୁଗୁଳରେ ସ୍ୱାଭାବିକଠାରୁ ସବୁଠୁ କମ୍‌ ବା ସାଢ଼େ ୪ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଥିଲା । ଗତ ତିନି ଦିନ ଧରି କ୍ରମାଗତ ଭାବେ ରାଜ୍ୟରେ ଶୀତ ବଢୁଛି । ସେହିଭଳି ପାରଳାଖେମୁଣ୍ଡି ଓ ଚାନ୍ଦବାଲିରେ ୧୮, ବୌଦ୍ଧ ଓ ବାଲେଶ୍ୱରରେ ୧୮.୨, ମାଲକାନଗିରିରେ ୧୮.୪, ଯାଜପୁରରେ ୧୮.୫, ପାରାଦୀପରେ ରାତି ତାପମାତ୍ରା ୧୮.୬ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୭ ଦିନ ଯାଏ ରାଜ୍ୟରେ ଆଦୌ ବର୍ଷା ସମ୍ଭାବନା ନାହିଁ ଓ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

Exit mobile version