Site icon ଆଜିକାଲି

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର – ବିଧାନସଭାର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଏହା ହେବ ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ । ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଏଥିମଧ୍ୟରୁ ୨୪ଟି ସରକାରୀ କାର୍ଯ୍ୟ ଦିବସ ଓ ୬ଟି ଘରୋଇ ସଦସ୍ୟଙ୍କ କାର୍ଯ୍ୟ ଦିବସ ରହିଛି। ବିଧାନସଭା ପାଇଁ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଅଧିବେଶନରେ ରଣନୀତି ନେଇ ଆଜି ବିଜେଡି ବିଧାୟକ ଦଳ ବୈଠକ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ । ବିଭିନ୍ନ ପ୍ରସଙ୍ଗରେ ଅଧିବେଶନ ସରଗରମ ହେବ ।

ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ସେ ନେଇ ଗତକାଲି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କ ସହଯୋଗରେ ଗୃହ ଚାଲିବ ବୋଲି ବାଚସ୍ପତି କହିଛନ୍ତି। ଅସୁସ୍ଥ ବିଧାୟକମାନେ ଅନୁମତି ନେଇ ବସିକି କହିପାରିବେ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି।

ବିଧାନସଭା ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ସୁରକ୍ଷା କାର୍ଯ୍ୟ ପାଇଁ ମୁତୟନ ହେବେ। ସୁରକ୍ଷା ଦାୟିତ୍ୱରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି କାର୍ଯ୍ୟ କରିବେ।

ଏହାଛଡ଼ା ସାଦା ପୋଷାକଧାରୀ ପୋଲିସ, ରୁଫଟପ୍‌ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଂ ଫୋର୍ସ, ଏସଓଜି, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାଡ୍ ଓ ଅଗ୍ନିଶମ ଅଧିକାରୀ ମଧ୍ୟ ମୁତୟନ ହେବେ। ବିଧାନସଭା ଠାରୁ ଲୋୟର ପିଏମଜି, ରବିନ୍ଦ୍ର ମଣ୍ଡପ ଛକ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜାଯିବ। ଧାରଣା ସ୍ଥଳରେ ଆବଶ୍ୟକ ସ୍ଥଳେ ଡ୍ରୋନ୍‌ ବ୍ୟବହାର କରାଯିବ। ବିଧାନସଭାକୁ ସଂଲଗ୍ନ ୫ଟି ରାସ୍ତାରେ ଟ୍ରାଫିକ କଟକଣା ରହିବ।

Exit mobile version