Site icon ଆଜିକାଲି

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଆଜି ଠାରୁ ବିଧାନସଭାର ଶୀତ ଅଧିବେଶନ। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଗୁରୁବାର ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ। ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ତେବେ ଦୀର୍ଘ ଅଢେଇ ବର୍ଷ ପରେ ଏହି ଅଧିବେଶନରେ କୋଭିଡ କଟକଣା ମଧ୍ୟ ହଟାଇ ଦିଆଯାଇଛି । କୋଭିଡ୍‌ ପୂର୍ବରୁ ଯେପରି ଗୃହ କାର୍ଯ୍ୟ ଚାଲୁଥିଲା, ଏବେ ସେହିପରି ଚାଲିବ।

ସୂଚନା ଯେ, ଅର୍ଚ୍ଚନା ନାଗ ମାମଲାରେ ଏବେ ଇଡି ଖୋଳତାଡ ଚଳାଇଥିବା ବେଳେ ବହୁ ନେତାଙ୍କ ସମ୍ପୃକ୍ତି ଅଭିଯୋଗ ମଧ୍ୟ ଆସୁଛି । ତେଣୁ ଏହି ପ୍ରସଙ୍ଗକୁ ନେଇ ଏଥର ଶାସକ ବିଜେଡିକୁ ଟାର୍ଗେଟ କରିପାରନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହା ଛଡା ପଦ୍ମପୁର ଉପନିର୍ବାଚନ ପାଇଁ ଚାଷୀଙ୍କୁ ନେଇ ରାଜନୀତି ଜୋର ଧରିଛି । ଉଭୟ ବିଜେଡି ଏବଂ ବିଜେପି ପରସ୍ପରକୁ ଦୋଷ ଲଦୁଥିବା ବେଳେ ଏହି ପ୍ରସଙ୍ଗ ବିଧାନସଭା ଉଠିବ ବୋଲି ଆଶା କରାଯାଉଛି । ସେପଟେ ବିରୋଧୀଙ୍କୁ ମୁକାବିଲା କରିବାକୁ କେନ୍ଦ୍ରୀୟ ଅବହେଳାକୁ ବିଜେଡି ପ୍ରସଙ୍ଗ କରିବ ବୋଲି କୁହାଯାଉଛି । ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ଆଜି ସକାଳ ସାଡେ ୧୦ ଟାରେ ବିଧାୟକ ଦଳର ବୈଠକ ଡାକିଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ମିଳିଛି ।

Exit mobile version