Site icon ଆଜିକାଲି

ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ, ପ୍ରଥମଦିନ ଆସିବ ଅତିରିକ୍ତ ବଜେଟ୍

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବ ବିଧାସନଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ରେ ଏହା ଶେଷ ହେବ। ଏହି ସମୟ ମଧ୍ୟରେ ବିଧାନସଭାର ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିବସରେ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ବିଜେପି ସରକାରର ଏହା ପ୍ରଥମ ଶୀତକାଳୀନ ଅଧିବେଶନ।

ରାଜ୍ୟ ବିଧାନସଭାର କନସଲଣ୍ଟାଣ୍ଟଙ୍କ ଦସ୍ତଖତରେ ବୁଧବାର ଜାରି ବିଜ୍ଞପ୍ତି ଅନୁସାରେ, ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମଦିନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ । ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ଏହି ଅତିରିକ୍ତ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ଡିସେମ୍ବର ୫ତାରିଖରେ ପ୍ରଥମ ଅତିରିକ୍ତ ବଜେଟକୁ ଗୃହୀତ କରିବା ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପିତ ଓ ପାରିତ ହେବ ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତ ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ । ଏହାସହିତ ସରକାର ଅଗଷ୍ଟ ମାସ ପାଇଁ ଦ୍ୱିତୀୟ ଲେଖାନୁଦାନକୁ ପାରିତ କରାଇ ନେଇଥିଲେ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତତକାଳୀନ ବିଜେଡି ସରକାର ଗତ ଫେବୃୟାରୀ ମାସରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ ଲେଖାନୁଦାନ ପାରିତ କରାଇଥିଲେ।

Exit mobile version