Site icon ଆଜିକାଲି

‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବ୍ୟାଙ୍କ ନଥିବା ପଞ୍ଚାୟତରେ ହାତ ପାଆନ୍ତରେ ମିଳିବ ବ୍ୟାଙ୍କିଂ ସୁବିଧା 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪ ହଜାର ୩୭୩ ପଞ୍ଚାୟତର ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ । ଆଜି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସୁବିଧା ଆରମ୍ଭ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ। ଏହି ବ୍ୟାଙ୍କିଙ୍ଗ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ ବୋଲି ସେ ମତ ହେବା ସହିତ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯୋଡି ହୋଇଛନ୍ତି। ବ୍ୟାଙ୍କ ଗୁଡିକ ହେଲେ – ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ୍, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦା। ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ସେବା ଯୋଗାଇ ଦେବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ । ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସ – ସିଏସପି ପ୍ଲସ୍ ଯୋଜନା ଆରମ୍ଭ କରିଛନ୍ତି । ଏହା ‘ଆମ ବ୍ୟାଙ୍କ’ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର, ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ ।

ଏହି କାର୍ଯ୍ୟକ୍ରମକୁ ଅନ୍‌ଲାଇନ ଜରିଆରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଲୋକ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଇବା ସେ ଚାହାଁନ୍ତି ।

ଜମିପଟ୍ଟା, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ପରି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ । ଘର ପାଖରେ ବ୍ୟାଙ୍କ ସୁବିଧା ମିଳିଲେ, ଆମର କାଳିଆ, ମମତା, ମଧୁବାବୁ ପେନ୍‌ସନ ପରି ବିଭିନ୍ନ ଡାଇରେକ୍ଟ ବେନିଫିଟ୍ ଟ୍ରାନସଫର ତଥା ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଓ ସୁବିଧାରେ ଉପଲବ୍‌ଧ ହୋଇପାରିବ । ଏହା ହିଁ ଆମ ୫-ଟି ନୀତିର ମୁଖ୍ୟ ଲକ୍ଷ୍ୟ । ତେଣୁ ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଗାଁରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ।

ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ଏହା ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଭଳି ଯୋଜନା ଆରମ୍ଭ କରିବାରେ ଓଡିଶା ସାରା ଦେଶରେ ପ୍ରଥମ । ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଥିଲେ । ଏହାସହିତ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ମାନଙ୍କୁ ବ୍ୟାଙ୍କ ସେବା ସେମାନଙ୍କ ଘରେ ହିଁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିନା କୌଣସି ଦେଶ ବା ରାଜ୍ୟ ସବୁ ବର୍ଗର ଲୋକଙ୍କ ପାଇଁ ବିକାଶ ଆଣିପାରିବ ନାହିଁ । ଆଜି ଆର୍ଥିକ କ୍ଷେତ୍ରରେ ଉନ୍ନତି, ସାମାଜିକ ବିକାଶ, ଡିଜିଟାଲ ରୂପାନ୍ତର, ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ସବୁ କ୍ଷେତ୍ରରେ ଓଡିଶା ଏକ ରୋଲ ମଡେଲ ହୋଇପାରିଛି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଯୋଗୁ ଓଡିଶା ଆଜି ଆର୍ଥିକ କ୍ଷେତ୍ରରେ ରୂପାନ୍ତର ଆଣିପାରିଛି । ଆଜି ଆମ ବ୍ୟାଙ୍କ ସେବା ଏହି ଆର୍ଥିକ ପ୍ରଗତୀକୁ ଆହୁରି ଆଗକୁ ନେବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମକୁ ୫-ଟି ୍ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବ୍ୟାଙ୍କ ସୁବିଧା ନ ଥିବା ପଞ୍ଚାୟତ ଗୁଡିକୁ ବ୍ୟାଙ୍କ ସେବା ଆଣିବା ପାଇଁ ଯେଉଁ ଗତିରେ କାମ ଚାଲିଛି, ସେହି ଗତିରେ କାମ ଚାଲିଲେ, ସବୁ ପଞ୍ଚାୟତରେ ପହଞ୍ଚିବା ପାଇଁ ୩୦ ବର୍ଷ ଲାଗିଥାନ୍ତା । କିନ୍ତୁ ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଏହା ମାତ୍ର ୬ ମାସ ମଧ୍ୟରେ ସମ୍ଭବ ହୋଇପାରୁଛି । ଏହା ହେଉଛି ରୂପାନ୍ତର ବୋଲି ସେ କହିଥିଲେ ।

ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ଦିନେଶ କୁମାର ଖାରା ଅନ୍‌ଲାଇନ ଜରିଆରେ ଯୋଗ ଦେଇ କହିଲେ ଯେ ଓଡିଶା ସରକାରଙ୍କର ଏହା ଏକ ଆକାଂକ୍ଷୀ କାର୍ଯ୍ୟକ୍ରମ। ଏହାଦ୍ବାରା ରାଜ୍ୟର ଲୋକମାନଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେବ ।

ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଅଶ୍ବିନୀ କୁମାର କହିଲେ ଯେ ଲୋକଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏହି ଛୋଟ ପଦକ୍ଷେପଟି ଏକ ବିରାଟ ପରିବର୍ତ୍ତନ ଆଣିବ। ସାଂସ୍କୃତିକ ଐତିହ୍ୟ ପାଇଁ ପରିଚିତ ଓଡିଶା ଆଜି ଆର୍ଥିକ କ୍ଷେତ୍ରରେ ଏକ ବଳିଷ୍ଠ ରାଜ୍ୟ ହୋଇପାରିବ ବୋଲି ସେ କହିଥିଲେ ।

ଏହି ଅବସରରେ ଆମ ବ୍ୟାଙ୍କ ଆରମ୍ଭ ହୋଇଥିବା କେତେକ ପଞ୍ଚାୟତର ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ବାଲେଶ୍ବର ଭୋଗରାଇ ବ୍ଲକ୍‌ର ବାଜିତପୁର ପଞ୍ଚାୟତର ବାର୍ଦ୍ଧକ୍ୟଭତ୍ତା ହିତାଧିକାରୀ ଗୌରାଙ୍ଗ ପାଲ, ସେହି ପଞ୍ଚାୟତର ମମତା ହିତାଧିକାରୀ ଅସୀମା ଦେ ପ୍ରମୁଖ କହିଥିଲେ ଯେ ଆମେ ଆଗରୁ ବ୍ୟାଙ୍କ ଭତ୍ତା ଆଣିବା ପାଇଁ ୩ କିଲୋମିଟର ଦୂରକୁ ଯାଉଥିଲୁ। ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁ ଆମ ଘର ପାଖରେ ଏହି ସୁବିଧା ପାଇପାରିବୁ । ଆମେ ସମସ୍ତେ ବହୁତ ଖୁସି। ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ । କଳାହାଣ୍ଡି ଜୁନାଗଡ ବ୍ଲକ୍‌ର କାଲେଇ ଗାଁ ପଞ୍ଚାୟତର ବ୍ୟାଙ୍କି କରେସପଣ୍ଡେନ୍‌ସ ସୁନିଲ କୁମାର ପଟେଲ ଏବଂ ଗଞ୍ଜାମ ହିଞ୍ଜିଳିକାଟୁର ନନ୍ଦିକା ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ବଉଳ ପ୍ରମୁଖ ମଧ୍ୟ ଲୋକମାନେ ଏଥିରେ ବହୁତ ସୁବିଧା ପାଇବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।

ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ବାଗତ ଭାଷଣ ଦେଇଥିଲେ ।

Exit mobile version