Site icon ଆଜିକାଲି

ମହିଳାଙ୍କୁ କଚାଡି ମାରିଲା ନରହନ୍ତା ଦନ୍ତା, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ଅଘଟଣ । ଘରେ ପଶି ଶୋଇଥିବା ମହିଳାଙ୍କୁ ଘୋଷାଡ଼ି ଆଣି କଚାଡି ମାରିଲା ନରହନ୍ତା ଦନ୍ତା । ମୃତ ମହିଳା ଜଣକ ରାଧିକାଶୋଳ ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା ହାଁସଦା(୩୫) ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଗାଁକୁ ବଣୁଆହାତୀ ଅନୁପ୍ରବେଶ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଘରୁ ନବାହାରିବାକୁ ଡକାବାଜି ଯନ୍ତ୍ରଦ୍ୱାରା ପ୍ରଚାରକରି ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା । ଗ୍ରାମବାସୀ ନିଜନିଜ ଘରେ ଶୋଇଥିବା ବେଳେ ବେତନଟୀ ରେଞ୍ଜଇଲାକାରେ ବିଚରଣ କରୁଥିଲା ଦନ୍ତା । ଏହି ସମୟରେ ୧୮ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗ୍ରାମରେ ପ୍ରବେଶ କରି ତିନି ଚାରିଟି ଘର ଭାଙ୍ଗି ଦେଇଥିଲା ଦନ୍ତା । ଏହି ସମୟରେ ମାନକା ଏବଂ ତାଙ୍କ ସ୍ୱାମୀ ଘରେ ଶୋଇଥିଲେ । ଶୋଇଥିବା ଅବସ୍ଥାରେ ମାନକାଙ୍କୁ ଘୋଷାଡ଼ି ଆଣି ଘର ଅଗଣାରେ କଚାଡି ଦଳି ଦେଇଥିଲା ଦନ୍ତା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ମାନକା । ପାଖରେ ଶୋଇଥିବା ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଏଭଳି ଘଟଣାକୁ ନେଇ ଗ୍ରାମରେ ଚହଳ ପଡିଯାଇଥିଲା । ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବାବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।

ଅନ୍ୟପଟେ ଗୁରୁବାର ସକାଳେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି । ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତି ଭିତରେ ପଶି ଧନଜୀବନ ହାନି କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହିଛି । ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ଚାରିଜଣଙ୍କ ମୃତ୍ୟୁ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆ ସ୍ଥିତି ସୃଷ୍ଟି କରିଛି ।

Exit mobile version