Site icon ଆଜିକାଲି

ଫାଇଲେରିଆ ନିରାକରଣ, ସାମୂହିକ ଔଷଧ ସେବନ ଅଭିଯାନକୁ ନେଇ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ରାଜ୍ୟର ୧୦ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଲିଟିକ ଫାଇଲେରିଆସିସ୍ ( ଏଲଏଫ ) ଦୂରୀକରଣ ନିମନ୍ତେ ଏକ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ( ଏମଡିଏ ) ଆସନ୍ତା ଫେବୃଆରୀ ୧୦ ତାରିଖରୁ ଆୟୋଜନ କରାଯିବ । ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ସହିତ ମିଶି ଏକ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କର୍ମଶାଳା ଭୁବନେଶ୍ଵର ଠାରେ ଆୟୋଜିତ ହୋଇଛି । ରୋଗର ଭୟାବହତା ଏବଂ ପ୍ରଭାବ ସମ୍ପର୍କରେ ବ୍ୟକ୍ତିବିଶେଷ ଏବଂ ଜନସାଧାରଣ ଯେଭଳି ସଠିକ ସୂଚନା ସୁନିଶ୍ଚିତ ଭାବରେ ପାଇବେ , ସେଥି ପାଇଁ ଲିମ୍ଫାଟିକ ଫାଇଲେରିଆସିସ ଦ୍ଵାରା ସୃଷ୍ଟି ହେଉଥିବା ଶାରୀରିକ ଅକ୍ଷମତା ସମ୍ପର୍କରେ ଆଲୋକପାତ କରୁଥିବା ପୂର୍ଣ୍ଣାଙ୍ଗ ସୂଚନା ପ୍ରସାରକୁ ସୁଗମ କରିବା ଲକ୍ଷ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳା ଅବସରରେ ଡା.ଅଜିତ କୁମାର ମହାନ୍ତି , ସ୍ଵତନ୍ତ୍ର ଶାସନ ସଚିବ , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଥିଲେ , ଏମଡିଏ ପର୍ଯ୍ୟାୟରେ ଦଶଟି ଜିଲ୍ଲାରେ ଲୋକମାନେ ଯେଭଳି ସ୍ଵାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତ ଖାଇବେ ସେଥିପାଇଁ ପଦକ୍ଷେପ ନିଆଯିବ । ୨ବର୍ଷରୁ କମ୍ ବୟସର ଶିଶୁ , ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଖାଇବେ ।

ସେ ଆହୁରି ମଧ୍ୟ କହିଥିଲେ ଯେ , ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀଗୁଡିକର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଡା . ନିରଞ୍ଜନ ମିଶ୍ର , ନିର୍ଦ୍ଦେଶକ ଜନସ୍ୱାସ୍ଥ୍ୟ , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଥିଲେ ଯେ ଫାଇଲେରିଆ ଏକ ସାଂଘାତିକ ଜନସ୍ଵାସ୍ଥ୍ୟ ସମସ୍ୟା , ଯାହା ମଶା କାମୁଡିବା ଦ୍ଵାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ , ଯାହା ଆରୋଗ୍ୟସାଧ୍ୟ ନୁହେଁ । ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ ( ଅଣ୍ଡକୋଷ ଫୁଲିବା ) , ଲିମ୍ଫୋଡେମା ( ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା ) ଏବଂ କାଇଲୁରିଆ ( ଇଷତ ଦୁଗ୍ଧ ଧଳା ରଙ୍ଗର ପରିସ୍ରା ) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍‌ଫ୍ରେ ଆକ୍ରାନ୍ତ ଲୋକଙ୍କର ଜୀବିକା , ସେମାନଙ୍କ ପାଖରେଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏବଂ ସେମାନେ ଅନେକ ସମୟରେ ସାମାଜିକ ଲଛନାର ଶିକାର ହୋଇଥାନ୍ତି । ଫାଇଲେରିଆସିସ ଏକ ଅକ୍ଷମତା ସୃଷ୍ଟିକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ ( ଡିଇସି ଏବଂ ଆଲବେଣ୍ଡାଜୋଲ ) ସେବନ ଦ୍ଵାରା ରୋକାଯାଇପାରିବ । ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଡା . ମିଶ୍ର କହିଲେ ଯେ , ଏହି ଔଷଧ ପୂର୍ବରୁ ବ୍ୟବହାର ହେଉଥିବା ଔଷଧଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ ଓ ଏହାର ସେପରି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଯେଉଁ ସବୁ ଛୋଟଛୋଟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ତାହା ପ୍ରାୟତଃ କିଛି ଚିକିତ୍ସା ଆବଶ୍ୟକ କରେନାହିଁ , ତେଣୁ ଜନସାଧାରଣ ମନରୁ ସନ୍ଦେହ ଦୂରକରି ଏହି ଔଷଧ ସେବନ କରିବା ଉଚିତ୍ । ଜିଲ୍ଲା ତଥା ବ୍ଲକ ସ୍ତରରେ ଏହିଭଳି କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ନିମନ୍ତେ ଆରଆରଟି ଦଳ ଗଠନ କରାଯାଇଛି । ସେ ମଧ୍ୟ କହିଥିଲେ ଯେ , ‘ ଆଲବେଣ୍ଡାଜୋଲ’କୁ ଚୋବେଇ ଖାଇବା ଉଚିତ୍ ଏବଂ ଡିଇସିକୁ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ । ଏହା କୌଣସି ନୂଆ ଔଷଧ ନୁହେଁ ଓ ସାଧାରଣ ଭାବରେ ବ୍ୟବହୃତ ଔଷଧଗୁଡିକ ମଧ୍ୟରୁ ଏହି ୨ଟି ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଅତି ନଗଣ୍ୟ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯୁଗ୍ମ ନିର୍ଦ୍ଦେଶକ ତଥା ଷ୍ଟେଟ ପ୍ରୋଗ୍ରାମ ଅଫିସର ଡା . ଶୁଭାଶିଷ ମହାନ୍ତି କହିଥିଲେ ଯେ ୨୦୨୭ ସୁଦ୍ଧା ଫାଇଲେରିଆସିସ୍‌ର ଦୂରୀକରଣ ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ଵପୂର୍ଣ୍ଣ ଜନସ୍ଵାସ୍ଥ୍ୟ ପ୍ରୟାସ ସମୂହର କାର୍ଯ୍ୟକାରିତା ଜାରି ରଖିବାର ଗୁରୁତ୍ଵକୁ ଉପଲବ୍ଧି କରି ଓଡ଼ିଶା ସରକାର ବାଲେଶ୍ଵର , ଭଦ୍ରକ , ବଲାଙ୍ଗିର , କଟକ , କଳାହାଣ୍ଡି , କନ୍ଧମାଳ , ଖୋର୍ଦ୍ଧା , ନୟାଗଡ , ନୂଆପଡା ଏବଂ ରାୟଗଡା ଆଦି ୧୦ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଏମଡିଏ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରୁଛନ୍ତି ।

ଏହି ଅବସରରେ ସିନିଅର ରିଜିଓନାଲ ଡାଇରେକ୍ଟର ଡା . ସୁଚିତ୍ରା ସାସ୍‌ମଲ , ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା . ଅମରେନ୍ଦ୍ରନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।

Exit mobile version