Site icon ଆଜିକାଲି

୨୪ରେ ଲଘୁଚାପ ପ୍ରଭାବରେ ପ୍ରବଳ କାଚିବ ! ଆଜି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ଅଛି ଲଘୁଚାପ । ରାଜ୍ୟରେ ଜାରି ରହିଛି ବର୍ଷା । କେଉଁଠି ମୂଷଳଧାରାରେ ବର୍ଷୁଛି ତ ଆଉ କେଉଁଠି ପ୍ରବଳ । ଆଗକୁ ଆହୁରି ବର୍ଷିବ । ୨୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୨୬ରୁ ବିସ୍‌ୃତ ଅଞ୍ଚଳରେ ଭାରୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏବେ ଦକ୍ଷିଣ ଓଡ଼ିଶା ପାଖ ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୪ ଦିନ ଯାଏ ଲାଗି ରହିବ ବର୍ଷା । ଆଜି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, କନ୍ଧମାଳ, ଗଞ୍ଜାମ, ଦେବଗଡ଼ ଓ ବୌଦ୍ଧକୁ ପାଣିପାଗ ବିଭାଗ ଦେଇଛି ୟେଲୋ ଓ୍ଵାର୍ଣ୍ଣିଂ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି ।

କାଲି ଓ ତାପରଦିନ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨୪ରେ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଫଳରେ ମହାନଦୀ ଓ ଦକ୍ଷିଣ ଓଡ଼ିଶାର ଅନେକ ନଦୀ ଫୁଲିବା ସମ୍ଭାବନା ରହିଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ଆସନ୍ତାକାଲି ହୀରାକୁଦ ଛାଡିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ।

Exit mobile version