Site icon ଆଜିକାଲି

ରକ୍ତଦାନକୁ ଜୀବନର ବ୍ରତ ଭାବେ ପାଳନ୍ତି ଯୁବ ସମାଜସେବୀ ଲମ୍ବୋଦର

କେନ୍ଦୁଝର, (ନିପ୍ର) ଧନୀ ହେଉକି ଗରିବ, ଦିନ ହେଉ କି ରାତି ରକ୍ତର ଆବଶ୍ୟକତା ପଡ଼ିଲେ ମନେ ପଡ଼ନ୍ତି ଯୁବ ସମାଜସେବୀ ଲମ୍ବୋଦର ମହାନ୍ତ । ବ୍ୟକ୍ତିଗତଭାବେ ତିନି ମାସ ବ୍ୟବଧାନରେ ନିୟମିତ ରକ୍ତଦାନ କରିବା ସହିତ ସ୍ଵେଚ୍ଛାସେବୀ ସଙ୍ଗଠନ ଭରସା ପରିବାର ମାଧ୍ୟମରେ କେନ୍ଦୁଝର , ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, କଟକ, ଭୁବନେଶ୍ବର ଭଳି ବିଭିନ୍ନ ସ୍ଥାନରେ ଥିବା ଚିକିତ୍ସାଳୟରେ ଅଜଣା ଅଚିହ୍ନା ରୋଗୀଙ୍କ ପାଇଁ ଜରୁରୀକାଳୀନ ରକ୍ତର ଆବଶ୍ୟକତା ପୂରଣ କରିଥାନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଘଟଗାଁ ବ୍ଲକ ବାଲିପୋଖରୀ ଗ୍ରାମର ରିନା ମୁଖୀଙ୍କ ଜରୁରୀକାଳୀନ ରକ୍ତର ଆବଶ୍ୟକତା ପୂରଣ କରି ନପାରି ତାଙ୍କ ପରିବାର ପକ୍ଷରୁ ଭରସା ପରିବାରର ସକ୍ରିୟ ସଦସ୍ୟ ତଥା ନିୟମିତ ରକ୍ତଦାତା ରାଜେଶ କୁମାର ରଣାଙ୍କୁ ଯୋଗାଯୋଗ କରିଥିଲେ । ଗ୍ରୀଷ୍ମପ୍ରବାହ ଯୋଗୁଁ ବିଭିନ୍ନ ରକ୍ତଦାତା ସନ୍ଧ୍ୟାରେ ରକ୍ତଦାନ କରିବା କଥା କହିଥିଲେ । ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ଖବର ପାଇ ଗ୍ରୀଷ୍ମପ୍ରବାହକୁ ଖାତିର ନକରି ରକ୍ତଭଣ୍ଡାର ପହଞ୍ଚି ସ୍ବେଛାକୃତ ରକ୍ତଦାନ କରିଥିଲେ । ବିଭିନ୍ନ ଡାକ୍ତରଖାନାରେ ଏ ପର୍ଯ୍ଯନ୍ତ ୩୯ ଥର ଅଜଣା ଅଚିହ୍ନା ରୋଗୀଙ୍କ ଉଦ୍ଦେଶ୍ୟରେ ରକ୍ତଦାନ କରି ବେଶ ପ୍ରଶଂସା ସାଉଁଟିଛନ୍ତି । କେବଳ ରକ୍ତଦାନରେ ସୀମିତ ନରହି ଅସହାୟ ଶବସତ୍କାର, ଶୁଦ୍ଧିକ୍ରିୟା ସହାୟତା, ବୃକ୍ଷରୋପଣ, ଅସହାୟଙ୍କୁ ସହଯୋଗ, ଶିକ୍ଷା ସଚେତନତା ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକୁ ଭରସା ପରିବାର ମାଧ୍ୟମରେ ବ୍ୟାପକ କରିବାର ଅହରହ ପ୍ରୟାସ କରୁଥିବାର ଦେଖିବାକୁ ମିଳୁଛି । ଯୁବସମାଜ ତାଙ୍କର ନିଃସ୍ଵାର୍ଥପର ସମାଜସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭରସା ପରିବାର ସହିତ ଜଡିତ ହୋଇ ସାମାଜିକ କାର୍ଯ୍ୟକୁ ବ୍ୟାପକ କରୁଥିବାର ଦେଖିବାକୁ ମିଳୁଛି । ସମାଜସେବା କାର୍ଯ୍ୟ ତାଙ୍କୁ ବହୁତ ଆତ୍ମସନ୍ତୋଷ ଯୋଗଉଛି ବୋଲି ସେ ମତପ୍ରକାଶ କରିଛନ୍ତି ।

Exit mobile version