Site icon ଆଜିକାଲି

ଆଜି ଠାରୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲା

ଇନ୍ଦୋର : ଆଜି ଠାରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲା । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜରେ ୨-୦ରେ ଅଗ୍ରଣୀ ଥିବା ଟିମ୍‌ ଇଣ୍ଡିଆ ଲାଗି ତୃତୀୟ ଟେଷ୍ଟ ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ ୧-୫ ମଧ୍ୟରେ ହେବାକୁ ଥିବା ଏହି ଟେଷ୍ଟକୁ ଜିତିବା ମାତ୍ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ଫାଇନାଲକୁ ଭାରତର ଟିକେଟ୍‌ ନିଶ୍ଚିତ ହୋଇଯିବ।

ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ଆୟତରେ ରଖିସାରିଲେ ମଧ୍ୟ ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିବ। ଏଠାରେ ବିଜୟୀ ହେଲେ ଭାରତ ଆଗୁଆ ଶୃଙ୍ଖଳା ଜିତିବ। ଏଥିସହ ଘରୋଇ ପରିବେଶରେ ଲଗାତାର ଭାବେ ୧୬ ଶୃଙ୍ଖଳା ଜିତିବାରେ ଭାରତ କୀର୍ତ୍ତିମାନ କରିବ। ଏପରିକି ଏହି ବିଜୟ ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ସ୍ଥାନ ପକ୍କା କରିବ। ତେଣୁ ସବୁ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ବ ବହନ କରୁଛି।

ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ଥିବାରୁ ଇନ୍ଦୋରରେ କିଛି କଠିନ ନିଷ୍ପତ୍ତି ନେବାକୁ ପଡ଼ିପାରେ। କେଏଲ୍‌ ରାହୁଲ ଓ ଶୁବମନ ଗିଲ୍‌ଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ। ରାହୁଲ ବର୍ତ୍ତମାନ ଆଉ ଉପଅଧିନାୟକ ଦାୟିତ୍ବରେ ନାହାନ୍ତି। ଏହାସତ୍ତ୍ବେ ଦଳ ପକ୍ଷରୁ ତାଙ୍କ ଉପରୁ ଭରସା ହଟାଯାଇନାହିଁ। ତେଣୁ ତୃତୀୟ ମ୍ୟାଚ୍‌ରେ ପୁଣି ଥରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଶୃଙ୍ଖଳାରେ ବର୍ତ୍ତମାନ ସୁଦ୍ଧା ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିଆସୁଛନ୍ତି। ଏହାରି ଭିତରେ କେବଳ ରୋହିତ ଶର୍ମା ଏକମାତ୍ର ବ୍ୟାଟର ଭାବେ ଶତକ ଅର୍ଜନ କରିଛନ୍ତି। କିନ୍ତୁ ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ ପିଚ୍‌ରେ ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ, ତାହେଲେ ଚେତେଶ୍ବର ପୂଜାରା ଓ ବିରାଟ କୋହଲିଙ୍କ ପାଇଁ ରନ୍‌ ସଂଗ୍ରହ କରିବାରେ କୌଣସି ସମସ୍ୟା ହେବ ନାହିଁ। ସେହିପରି ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲ୍‌ କେବଳ ବଲ୍‌ରେ ନିଜର କରାମତି ଦେଖାଇନାହାନ୍ତି, ବରଂ ବ୍ୟାଟିଂରେ ଦଳ ପାଇଁ ଖୁବ୍‌ ଉପଯୋଗୀ ହେଉଛନ୍ତି।

ଲଗାତାର ପରାଜୟରୁ ମୁକୁଳିବା ପାଇଁ ଅଷ୍ଟ୍ରେଲିଆ ମଧ୍ୟ ବ୍ୟଗ୍ର ରହିଛି। କିନ୍ତୁ ଅଧିନାୟକ ପ୍ୟାଟ୍‌ କମିନ୍ସ, ଅଷ୍ଟନ ଅଗର, ଜୋସ୍‌ ହାଜେଲ୍‌ଉଡ୍‌, ଡେଭିଡ୍‌ ୱାର୍ଣ୍ଣର ଘରକୁ ଫେରିଯାଇଥିବାରୁ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ କାନ୍ଧରେ ଦଳର ଭାର ରହିବ। ତେବେ ଭାରତୀୟ ସ୍ପିନ୍‌ ଆକ୍ରମଣକୁ ଅଷ୍ଟ୍ରେଲିଆ ବ୍ୟାଟର କିପରି ପ୍ରତିଶହତ କରୁଛନ୍ତି ତାହା ଉପରେ ଅଧିକ ନଜର ରହିବ। କାରଣ ଭ୍ରମଣକାରୀ ଦଳର ସୁଇପ୍‌ ସଟ୍‌ କୌଶଳ ଦିଲ୍ଲୀରେ ବିଫଳ ହୋଇଥିଲା। ତେଣୁ କେବଳ ସ୍ବିପ୍‌ ସଟ୍‌ ନୁହେଁ, ସ୍ଥିତି ଅନୁସାରେ ରନ୍‌ ବାହାର କରିବାକୁ ଦଳ ଯୋଜନା କରିଛି। ଏଥିସହ ପିଚ୍‌ରେ ଅଧିକ ସମୟ ବିତାଇବା ମଧ୍ୟ ଜରୁରି ହୋଇଯାଇଛି। ଉସ୍‌ମାନ ଖୱାଜାଙ୍କ ସହିତ ‌ଟ୍ରାଭିସ୍‌ ହେଡ୍‌ ପାଳି ଆରମ୍ଭ କରିପାରନ୍ତି। ଦିଲ୍ଲୀରେ ଖୱାଜା ୮୧ ରନ୍‌ର ପାଳି ଖେଳିଥିଲା ବେଳେ ହେଡ୍‌ ସ୍ପିନରଙ୍କୁ ଚାପରେ ରଖିପାରିଥିଲେ। କିନ୍ତୁ ସ୍ମିଥ୍‌ ଓ ଲବୁସାନ୍‌ଙ୍କ ହାରାହାରି ରନ୍‌ ୩୦ ତଳକୁ ରହୁଥିବାରୁ ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ପୂର୍ବ ଲୟକୁ ପ୍ରତ୍ୟାବର୍ତ୍ତନ କରିବା ଆବଶ୍ୟକ ହୋଇଯାଇଛି। ଅଲ୍‌ରାଉଣ୍ଡର କାମେରୁନ୍‌ ଗ୍ରିନ୍‌ ଓ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କଙ୍କ ପ୍ରତ୍ୟାବର୍ତନ ବୁଧବାରଠୁ ଆରମ୍ଭ ହେଉଥିବା ମ୍ୟାଚ୍‌ରେ ଭ୍ରମଣକାରୀ ଦଳର ଶକ୍ତି ବୃଦ୍ଧି କରିବ। ତେବେ ନାଥନ ଲାୟନ୍‌, ଟଡ୍‌ ମର୍ଫି ଓ ମାଥ୍ୟୁ କୁହ୍ନେମାନ୍‌ଙ୍କୁ ସ୍ପିନ୍‌ ବିଶେଷଜ୍ଞ ଭାବେ ନେଇ ଅଷ୍ଟ୍ରେଲିଆ ପଡ଼ିଆକୁ ଓହ୍ଲାଇବ।

ସମ୍ଭାବ୍ୟ ଭାରତୀୟ ୧୧: ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ/ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, କେଏସ୍‌ ଭରତ, ଆର୍‌. ଅଶ୍ବିନ, ଅକ୍ଷର ପଟେଲ, ମହମ୍ମଦ ସାମି, ମହମ୍ମଦ ସିରାଜ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ୧୧: ଷ୍ଟିଭେନ୍‌ ସ୍ମିଥ୍‌ (ଅଧିନାୟକ), ‌ଟ୍ରାଭିସ୍‌ ହେଡ୍‌, ଉସ୍‌ମାନ୍ ଖୱାଜା, ମାର୍ନସ ଲବୁସାନ୍‌, ପିଟର ହ୍ୟାଣ୍ଡସ୍କମ୍ବ, କାମେରୁନ୍‌ ଗ୍ରିନ୍‌, ଆଲେକ୍ସ କ୍ୟାରି, ମିଚେଲ୍‌ ଷ୍ଟାର୍କ, ଟଡ୍‌ ମର୍ଫି, ନାଥନ୍ ଲାୟନ, ମାଥ୍ୟୁ କୁହ୍ନେମାନ/ସ୍କଟ୍‌ ବୋଲାଣ୍ଡ/ଲାନ୍ସ ମୋରିସ୍‌।

Exit mobile version