Site icon ଆଜିକାଲି

ଆଜି ଇଡେନ୍ ଗାର୍ଡେନ୍ସରେ ଦ୍ୱିତୀୟ ଦିନିକିଆ, ପୁଣି ଏକ ବଡ଼ ବିଜୟ ଲକ୍ଷ୍ୟରେ ଭାରତ

କୋଲକାତା: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ଗୁରୁବାର ଏଠାରେ ଖେଳାଯିବ । ଟପ୍ ତିନି ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ଫର୍ମରେ ଉତ୍ସାହିତ ଭାରତୀୟ ଦଳ ୨-୦ରେ ଅପରାଜେୟ ଅଗ୍ରଣୀ ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ରହିବ ।

ସେପ୍ଟେମ୍ବରରେ ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରି ଟି-୨୦ କ୍ରିକେଟରେ ତିନି ବର୍ଷର ଅପେକ୍ଷା ଶେଷ କରିଥିବା ବିରାଟ କୋହଲି ମଙ୍ଗଳବାର ଗୁଆହାଟୀରେ ପ୍ରଥମ ମ୍ୟାଚରେ ୭୩ ତମ ଅନ୍ତର୍ଜାତୀୟ ଶତକ ହାସଲ କରି ଭାରତର ୬୭ ରନର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ପ୍ରଥମ ଦିନିକିଆରେ ତାଙ୍କୁ ଦୁଇଟି ଜୀବନଦାନ ଦେବା ଶ୍ରୀଲଙ୍କାଙ୍କୁ ମହଙ୍ଗା ପଡିଥିଲା ​​। କୋହଲିଙ୍କ ଶତକ ବଳରେ ଭାରତ ୭ ୱିକେଟ୍ ହରାଇ ୩୭୩ ରନର ବୃହତ ସ୍କୋର କରିଥିଲା। ଶ୍ରୀଲଙ୍କାର କୌଣସି ବୋଲର ସେମାନଙ୍କୁ ଅସୁବିଧାରେ ପକାଇ ପାରିନଥିଲେ। ଆଘାତରୁ ସୁସ୍ଥ ହେବା ପରେ ଫେରିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ୬୭ଟି ବଲରେ ୮୩ ରନ୍ ସଂଗ୍ରହ କରି ଶ୍ରୀଲଙ୍କା ଆକ୍ରମଣକୁ ଆରମ୍ଭରୁ ଧରାଶାୟୀ କରିଦେଇଥିଲେ। ତାଙ୍କ ପ୍ରିୟ ଇଡେନ୍ ଗାର୍ଡେନ୍ସକୁ ଆସିବା ପୂର୍ବରୁ ରୋହିତଙ୍କ ଫର୍ମକୁ ଫେରିବା ଭାରତୀୟ ଦଳ ପାଇଁ ଏକ ଭଲ ସଙ୍କେତ ।

ଆଠ ବର୍ଷ ପୂର୍ବେ ଯେତେବେଳେ ଦୁଇ ଦଳ ଏଠାରେ ଏକ ଦିନିକିଆ ମ୍ୟାଚରେ ଭେଟିଥିଲେ, ସେତେବେଳେ ରୋହିତ ବିଶ୍ବରେକର୍ଡ ୨୬୪ ରନ୍ ସଂଗ୍ରହ କରିଥିଲେ। ଏବେ ପୁଣି ଥରେ ସେ ଏଠାରେ ଏକ ବଡ଼ ସ୍କୋର କରିବାକୁ ଚାହିଁବେ ।

ରୋହିତ ତାଙ୍କ ଶେଷ ଅନ୍ତର୍ଜାତୀୟ ଶତକ ଜାନୁଆରୀ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ । ଏହି ଅପେକ୍ଷାର ସେ ଅନ୍ତ ଘଟାଇବାକୁ ମଧ୍ୟ ଚାହିଁବେ । ଯୁବ ଓପନର୍ ଶୁବମାନ ଗିଲ ମଧ୍ୟ ୬୦ ବଲରୁ ୭୦ ରନ୍ କରି ତାଙ୍କ ଚୟନକୁ ସମାଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଇଛନ୍ତି । ଇଶାନ କିଶାନଙ୍କ ବଦଳରେ ତାଙ୍କୁ ଦଳରେ ସାମିଲ କରାଯିବା ନିଷ୍ପତ୍ତିକୁ ସମାଲୋଚନା କରାଯାଇଥିଲା । କିନ୍ତୁ ଗିଲ୍ ତାଙ୍କ ଉପରେ ଅଧିନାୟକଙ୍କ ଭରସାକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ।

ଗତ ବର୍ଷ ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବ ଶ୍ରେୟସ୍ ଆୟର ମଧ୍ୟ ଚତୁର୍ଥ ନମ୍ବରରେ ନିରାଶ କରି ନାହାଁନ୍ତି। ଭାରତୀୟ ବ୍ୟାଟିଂ ଲାଇନ୍ ଅପରେ କେବଳ କେଏଲ୍ ରାହୁଲଙ୍କ ଖରାପ ଫର୍ମ ଚିନ୍ତାର କାରଣ ହୋଇଛି । ୱିକେଟ୍ କିପର ଦାୟିତ୍ବ ତୁଲାଉଥିବା ରାହୁଲ କ୍ରମାଗତ ବିଫଳ ହୋଇଛନ୍ତି ।

ଦ୍ରୁତ ବୋଲିଂରେ ଶକ୍ତି ପ୍ରଦର୍ଶନ କରିଥିବା ମହମ୍ମଦ ସିରାଜ ପାଞ୍ଚ ଓଭରରେ ୧୫ ରନ୍ ବିନିମୟରେ ଦୁଇଟି ୱିକେଟ୍ ନେଇଥିଲେ। ସେ ଇଡେନରେ ଏକ ଫ୍ଲାଟ ପିଚରେ ମହମ୍ମଦ ଶାମିଙ୍କ ସହ ଭାରତୀୟ ଆକ୍ରମଣର ନେତୃତ୍ୱ ନେବେ। ଉମ୍ରାନ ମଲିକ ମଧ୍ୟଭାଗରେ ଭଲ ବୋଲିଂ କରିଥିଲେ । କିନ୍ତୁ ଦାସୁନ ଶନକା ତାଙ୍କ ବଲରେ କିଛି ବଡ଼ ସଟ୍ ଖେଳି ଶତକ ପୂରଣ କରିଥିଲେ ।

ତେବେ ମଲିକ୍‌ଙ୍କ ପ୍ରଦର୍ଶନ ପ୍ରତି ମ୍ୟାଚ୍‌ରେ ଉନ୍ନତ ହେବାରେ ଲାଗିଛି ।ଶ୍ରୀଲଙ୍କା ପାଇଁ ଏକମାତ୍ର ସକରାତ୍ମକ ଫଳ ଥିଲା ଅଧିନାୟକ ଶନକାଙ୍କ ଲଢୁଆ ଶତକ। ଶ୍ରୀଲଙ୍କା ଏକଦା ୧୭୦ ରନରେ ୭ ୱିକେଟ୍ ହରାଇ ଶୋଚନୀୟ ପରାଜୟ ଆଡ଼କୁ ମୁହାଁଇଥିଲା । ତେବେ ଶନକାଙ୍କ ଅପରାଜିତ ୧୦୮ ରନ୍ ବଳରେ ଶ୍ରୀଲଙ୍କା ୩୦୬ ରନ୍ ସଂଗ୍ରହ କରିଥିଲା। ଶନକା ଏହି ଫର୍ମ ଜାରି ରଖିବାକୁ ଚାହିଁବେ କିନ୍ତୁ ଅନ୍ୟ ପ୍ରାନ୍ତରୁ ମଧ୍ୟ ସମର୍ଥନ ଆବଶ୍ୟକ କରିବେ । ଦୁଇଥର କୋହଲିଙ୍କ କ୍ୟାଚ୍ ଛାଡିଥିବାରୁ ଶ୍ରୀଲଙ୍କା ମଧ୍ୟ ସେମାନଙ୍କ ଫିଲ୍ଡିଂରେ ଉନ୍ନତି ଆଣିବାକୁ ପଡ଼ିବ ।

Exit mobile version