Site icon ଆଜିକାଲି

ଦ୍ଵିତୀୟ ଦିନିକିଆରେ ସହଜ ବିଜୟ ସହ ସିରିଜ୍ ଜିତିଲା ଭାରତ

ରାୟପୁର : ରାୟପୁରରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ୮ ଓ୍ଵିକେଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ ।ବୋଲରଙ୍କ ଘାତକ ବୋଲିଂ ଓ ରୋହିତଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ସହଜ ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଏହା ଭାରତୀୟ ବୋଲରଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ କିଓ୍ୱି ବ୍ୟାଟର । ଲଗାତର ଅନ୍ତରାଳରେ ପଡିଚାଲିଥିଲା ଓ୍ୱିକେଟ୍‌ । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍‌ ଫିଲିକ୍ସ ସର୍ବାଧିକ ୩୬ ରନ୍‌ କରିଥିବା ବେଳେ ମିଚେଲ୍‌ ବ୍ରେସଓ୍ୱେଲ୍‌ ୨୨ ରନ୍‌, ମେଚଲ୍‌ ସାଣ୍ଟନର ୨୭ ରନ୍‌ କରିଛନ୍ତି । ବାକି ଆଉ କୌଣସି ବ୍ୟାଟସମ୍ୟାନ୍‌ ୨ ଅଙ୍କ ବି ଛୁଇଁପାରିନଥିଲେ । ସେପଟେ ଭାରତୀୟ ବୋଲର ମଧ୍ୟରେ ସର୍ବାଧିକ ଓ୍ୱିକେଟ୍‌ ମହମ୍ମଦ ସାମି ନେଇଛନ୍ତି । ସେ ୬ ଓଭର ବୋଲିଂ କରି ୧୮ରନ୍‌ ଦେଇ ୩ଟି ଓ୍ୱିକେଟ୍‌ ନେଇଛନ୍ତି। ତାଙ୍କ ପଛକୁ ଓ୍ୱାସିଂଟନ୍‌ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି । ତାପରେ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

୧୦୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମାନ ଗିଲ୍ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ରୋହିତ ଶର୍ମା ୫୦ ବଲ୍‌ରେ ୭ ଚୌକା ଏବଂ ୨ ଛକା ସହ ୫୧ ରନ କରିଥିଲେ। ବିରାଟ କୋହଲି ୧୧ ରନ କରି ବିଦାୟ ନେଇଥିଲେ। ଶୁବମାନ ଗିଲ୍ ୩୬ ରନ ଏବଂ ଇଶାନ କିଷନ ୮ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ଭାରତ ୨୦ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜ ବିଜୟ ଲକ୍ଷ୍ୟ ହାସଲ କରିଛି।

Exit mobile version