Site icon ଆଜିକାଲି

ପିଏଫ୍ଆଇ ବିରୋଧରେ ଏନଆଇଏ-ଇଡିର ବଡ଼ ଆକ୍ସନ୍ : ଦେଶବ୍ୟାପୀ ଚଢ଼ାଉ, ୧୦୦ରୁ ଅଧିକ କର୍ମୀ ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧୀ ଅଭିଯାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଦୁଇ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଦେଶବ୍ୟାପୀ ଇସଲାମିକ ସଂଗଠନ ‘ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)’ ଅଧିକାରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ଚଢ଼ାଉ ହୋଇଛି। ଏହି ସମୟରେ ୧୦୦ରୁ ଅଧିକ ପିଏଫ୍ଆଇ କ୍ୟାଡରଙ୍କୁ ଗିରଫ କରାଯାଇଛି। ପିଏଫ୍ଆଇ ଉପରେ ଏହି କାର୍ଯ୍ୟାନୁଷ୍ଠାନକୁ କେରଳ ଓ କର୍ଣ୍ଣାଟକରେ ଦଳୀୟ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି।

ସୂଚନା ମୁତାବକ, ଏନଆଇଏ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ଓ ତାଲିମ ଶିବିରରେ ସାମିଲ ଲୋକଙ୍କ ବାସସ୍ଥାନ ଏବଂ କାର୍ଯ୍ୟାଳୟରେ ଛାନଭିନ୍ କରିଛି। ଉତ୍ତରପ୍ରଦେଶ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏନଆଇଏ ରେଡ୍ ଜାରି ରହିଛି। ସୂତ୍ରରୁ ପ୍ରକାଶ ଯେ ପ୍ରାୟ ୧୦ଟି ରାଜ୍ୟରେ ରାଜ୍ୟ ପୋଲିସର ସହଯୋଗରେ ଅନୁସନ୍ଧାନକାରୀ ସଂସ୍ଥା ୧୦୦ ରୁ ଅଧିକ କ୍ୟାଡରଙ୍କୁ ଗିରଫ କରିଛି।

ଏହାଛଡ଼ା ଏନଆଇଏ ତାମିଲନାଡୁର କୋଏମ୍ବାଟୁର, କୁଡାଲୋର, ରାମନାଦ, ଡିଣ୍ଡୁଗଲ, ଥେନି ଏବଂ ଥେଙ୍କାଶି ସହ ଅନେକ ସ୍ଥାନରେ ପିଏଫଆଇ ଅଧିକାରୀଙ୍କ ବାସଭବନରେ ଚଢାଉ କରିଛି। ରାଜଧାନୀ ଚେନ୍ନାଇରେ ପିଏଫ୍ଆଇର ରାଜ୍ୟ ମୁଖ୍ୟାଳୟରେ ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି।

Exit mobile version