Site icon ଆଜିକାଲି

ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇଲା ଭାରତ

ଥିରୁଭନନ୍ତପୁରମ: ବୋଲରଙ୍କ ଘାତକ ପ୍ରଦର୍ଶନ ବଳରେ ଭାରତ ବୁଧବାର ଏଠାରେ ଅନୁଷ୍ଠିତ ଲୋ ସ୍କୋରିଂ ପ୍ରଥମ ଟି୨୦ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ଦେଇଛି। ଏହି ସହଜ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଶାଣିତ ପ୍ରଦର୍ଶନ ଆଗରେ ସଂଘର୍ଷ କରି ୮ ୱିକେଟ୍ ହରାଇ ମାତ୍ର ୧୦୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ଭାରତ ଶୀଘ୍ର କ୍ୟାପଟେନ ରୋହିତ ଶର୍ମା (୦) ଓ ବିରାଟ କୋହଲି (୩)ଙ୍କ ୱିକେଟ୍ ହରାଇଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ଓ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୨୦ଟି ବଲ୍ ବାକିଥାଇ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଇନ୍ ଫର୍ମ ସୂର୍ଯ୍ୟକୁମାର ଏହି ଫର୍ମାଟରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ର୍ପୂବକ ୩୩ଟି ବଲରେ ୫ଟି ଚୌକା ଓ ୩ଟି ଛକା ସହ ଅପରାଜିତ ୫୦ ରନ୍ କରିଥିଲେ । ରାହୁଲ ୫୬ଟି ବଲରେ ୨ଟି ଚୌକା ଓ ୪ଟି ଛକା ସହ ୫୧ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକା ଟିମକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ମାତ୍ର ୯ ରନ୍‌ରେ ଦକ୍ଷିଣ ଆଫ୍ରିକାର ଅଧା ଟିମ୍ ପ୍ୟାଭିଲିୟନ ଫେରିଥିଲା। ଚାରି ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲିପାରି ନଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମ ଓଭରର ଶେଷ ବଲରେ ହିଁ ଅଧିନାୟକ ବାଭୁମା (୦)ଙ୍କ ଓ୍ବିକେଟ୍ ହରାଇଥିଲା । ବଭୁମାଙ୍କୁ ଦୀପକ ଚହର ବୋଲ୍ଡ କରିଥିଲେ । ଦ୍ୱିତୀୟ ଓଭର ପ୍ରଥମ ବଲ୍‌ରେ ଡି’କକ(୧)ଙ୍କୁ ବୋଲ୍ଡ କରିଥିଲେ ଅର୍ଶଦୀପ ସିଂହ। ସେହି ଓଭରରେ ରାଇଲି ରୁସୋ (୦) ଓ ଡେଭିଡ ମିଲର(୦) ଙ୍କୁ ବି ପ୍ୟାଭିଲିୟନ ଫେରାଇ ଅର୍ଶଦୀପ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଦେଇଥିଲେ । ଏହାପରେ ଚହର ନୂଆ ବ୍ୟାଟ୍ସମ୍ୟାନ୍ ଟ୍ରିଷ୍ଟାନ ଷ୍ଟବ୍ସ (୦)ଙ୍କୁ ପ୍ୟାଭିଲିୟନ ଫେରାଇଥିଲେ । ଦକ୍ଷିଣ ଆଫ୍ରିକା ଟିମ୍‌ ୬ ଓଭର ପରେ ୩୦ ରନରେ ୫ ୱିକେଟ୍ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା । ଅର୍ଶଦୀପ ସିଂହ ପାୱାର ପ୍ଲେର ୩ ଓଭର କରି ୫ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ଦୀପକ ୩ ଓଭରରେ ୧୫ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ମନେ ହେଉଥିଲା ଦଳ ୧୦୦ ତଳେ ସୀମିତ ରହିଯିବ । ହେଲେ କେଶବ ମହାରାଜାଙ୍କ ଲଢୁଆ ଇନିଂସ୍ ଯୋଗୁଁ ଦକ୍ଷିଣ ଆଫ୍ରିକା ୧୦୦ ରନ୍ ଟପିଥିଲା ।

୫ ୱିକେଟ୍ ଟିମ୍‌ର ଯିବା ପରେ ଆଡେନ ମାର୍‌କ୍ରମ ଓ ଓ୍ବେନ ପାର୍ନେଲ୍‌ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ୮ ଓଭର ଶେଷ ବଲ୍‌ରେ ହର୍ଷଲ ପଟେଲ୍‌ ମାର୍‌କ୍ରମକୁ ଏଲ୍‌ବିଡବ୍ଲୁ କରିଥିଲେ। ଏହାପରେ ପାର୍ନେଲ୍‌ଙ୍କ ସହି ଦଳର ସ୍କୋରକୁ ଆଗକୁ ନେଇଥିଲେ କେଶବ ମହାରାଜ। ୧୦ ଓଭର ବେଳକୁ ଦକ୍ଷିଣ ଆଫ୍ରିକା ୪୯ ରନ୍ କରି ୬ ୱିକେଟ୍ ହରାଇଥିଲା। ଏହାପରେ ୧୫.୫ ଓଭରରେ ୱାନେ ପାର୍ନେଲ୍‌(୨୪ ରନ୍)ଙ୍କ ୱିକେଟ୍ ପଡ଼ିଥିଲା। ଅକ୍ସର ପଟେଲ୍‌ଙ୍କ ବଲ୍‌ କ୍ୟାଚ୍ ଆଉଟ ହୋଇଥିଲେ ପାର୍ନେଲ୍। ଏହାପରେ ଶେଷ ଓଭରର ପ୍ରଥମ ବଲ୍‌ରେ କେସବ ମହାରାଜା(୪୧)ଙ୍କୁ ଆଉଟ୍ କରିଥିଲେ ହର୍ଷଲ ପଟେଲ୍। ଟିମ ପକ୍ଷରୁ ଏନରିକ୍ ନୋର୍ଟଜେ ଓ କାଗିସୋ ରାବଡ଼ା ଶେଷ ପର୍ଯ୍ୟନ୍ତ ଖେଳି ଦଳର ସ୍କରୋ ୧୦୬କୁ ପହଞ୍ଚାଇଥିଲେ। ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଭାରତ ବିରୋଧରେ ମାତ୍ର ୧୦୭ ରନ୍‌ ଟାର୍ଗେଟ୍ ଦେଇପାରିଥିଲା। ଭାରତ ପକ୍ଷରୁ ହର୍ଷଦୀପ ସିଂହ ୩ ୱିକେଟ୍ ନେଇଥିବା ବେଳେ ଦୀପକ ଚହର ୨ଟି, ହର୍ଷଲ ପଟେଲ ୨ ଓ ଅକ୍ସର ପଟେଲ ୧ ଲେଖାଏ ୱିକେଟ୍ ନେଇଥିଲେ।

Exit mobile version