Site icon ଆଜିକାଲି

ମଧ୍ୟପ୍ରଦେଶରେ ବାୟୁସେନାର ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମୋରେନାରେ ଶନିବାର ଦୁଇଟି ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତୀୟ ବାୟୁସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଦୁଇଟି ବିମାନ ହେଉଛି ସୁଖୋଇ-୩୦ ଏବଂ ମିରାଜ୍ -୨୦୦୦ । କିଛି ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ଦୁଇଟି ବିମାନ ସାମରିକ ଅଭ୍ୟାସ ପାଇଁ ଗ୍ବାଲିୟର ଏୟାରବେସରୁ ଉଡ଼ାଣ ଆରମ୍ଭ କରିବା ପରେ ମଝି ଆକାଶରେ ପରସ୍ପର ଧକ୍କା ହୋଇ ଖସି ପଡ଼ିଥିଲେ । ତେବେ ଭାରତୀୟ ବାୟୁସେନା କହିଛି ଯେ ଏହି ଦୁଇଟି ବିମାନ ବାୟୁରେ ମୁହାଁମୁହିଁ ଧକ୍କା ହୋଇଛି କି ନାହିଁ ତାହା କେବଳ କୋର୍ଟ ଅଫ୍ ଇନକ୍ୱାରୀରୁ ସ୍ପଷ୍ଟ ହେବ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁଖୋଇ-୩୦ରେ ଦୁଇଜଣ ପାଇଲଟ୍ ଥିବାବେଳେ ମିରାଜ୍ -୨୦୦୦ରେ ଜଣେ ପାଇଲଟ୍ ଥିଲେ। ଦୁର୍ଘଟଣାସ୍ଥଳ ନିକଟରୁ ଦୁଇ ପାଇଲଟଙ୍କୁ ଉଦ୍ଧାର କରାଯାଇଛି ବୋଲି ମୋରେନାର ଜିଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି। ଏହି ଉଭୟ ପାଇଲଟ ଆହତ ହୋଇଛନ୍ତି। ସେମାନଙ୍କୁ ଗ୍ୱାଲିଅରକୁ ସ୍ଥାନାନ୍ତର କରାଯାଇଛି। ତୃତୀୟ ପାଇଲଟଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ପ୍ରଶାସନ ଏବଂ ପ୍ରତିରକ୍ଷା ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Exit mobile version