Site icon ଆଜିକାଲି

କର୍ଣ୍ଣାଟକ ବିଧାନସଭାରୁ ୧୦ ବିଜେପି ବିଧାୟକ ନିଲମ୍ବିତ

ବେଙ୍ଗାଲୁରୁ: ଅଶୋଭନୀୟ ଆଚରଣ ପାଇଁ ୧୦ ଜଣ ବିଜେପି ବିଧାୟକଙ୍କୁ ବୁଧବାର କର୍ଣ୍ଣାଟକ ବିଧାନସଭାରୁ ନିଲମ୍ବିତ କରାଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ବିରତି ନେବା ବିନା ଗୃହକାର୍ଯ୍ୟ ଜାରି ରଖିବାକୁ ବାଚସ୍ପତି ୟୁଟି ଖାଦରଙ୍କ ନିଷ୍ପତ୍ତି ନେଇ ବିରୋଧୀ ବିଜେପି ଆପତ୍ତି ଉଠାଇଥିଲା । ଦଳର କିଛି ବିଧାୟକ ବାଚସ୍ପତିଙ୍କ ଆସନ ଉପରକୁ କାଗଜ ଫିଙ୍ଗି ହୋହଲ୍ଲା କରିଥିଲେ | ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ବିଧାନସଭାର ଚଳିତ ଅଧିବେଶନରୁ ୧୦ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ବିଜେପି ବିଧାୟକଙ୍କୁ ନିଲମ୍ବନ ନେଇ ବିଜେପି ଓ ଜେଡିଏସ୍ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ୍ ଦେଇଛନ୍ତି।

ବିଧାନସଭାରୁ ନିଲମ୍ବିତ ହୋଇଥିବା ୧୦ ବିଜେପି ବିଧାୟକ ହେଲେ ଡକ୍ଟର ସିଏନ ଅଶ୍ୱତ୍ଥ ନାରାୟଣ, ଭି ସୁନୀଲ କୁମାର, ଆର୍ ଅଶୋକ, ଅରାଗା ଜ୍ଞାନେନ୍ଦ୍ର (ସମସ୍ତେ ପୂର୍ବତନ ମନ୍ତ୍ରୀ), ଡି ବେଦବ୍ୟାସ କାମାଥ, ଯଶପାଲ ସୁବର୍ଣ୍ଣ, ଧୀରଜ ମୁନିରାଜ, ଏ ଉମାନଥ କୋଟିଆନ, ଅରବିନ୍ଦ ବେଲାଡ ଓ ଓ୍ବାଇ ଭାରତ ଶେଟ୍ଟୀ । କର୍ଣ୍ଣାଟକରେ ବିଧାନସଭା ଅଧିବେଶନ ଜୁଲାଇ ୩ରୁ ଆରମ୍ଭ ହୋଇଥିଲା । ଏହା ଜୁଲାଇ ୨୧ ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟ ସରକାର ଦ୍ବାରା ଆଇଏଏସ୍ ଅଧିକାରୀଙ୍କ ଅପବ୍ୟବହାରକୁ ବୁଧବାର ବିଧାନସଭାରେ କିଛି ବିଜେପି ବିଧାୟକ ବିରୋଧ କରିଥିଲେ। ବାଚସ୍ପତିଙ୍କ ନିଷ୍ପତ୍ତିରେ ରାଗିଯାଇ ବିଜେପି ସଦସ୍ୟମାନେ ବିଲ୍ ଏବଂ ଏଜେଣ୍ଡାର କପି ଚିରି ଦେଇଥିଲେ। ସେମାନେ ବାଚସ୍ପତିଙ୍କ ଆସନ ଆଡକୁ କାଗଜ ଫିଙ୍ଗିଥିଲେ | ବେଙ୍ଗାଲୁରୁରେ ବିରୋଧୀ ଦଳର ଦୁଇ ଦିନିଆ ଏକତା ବୈଠକରେ ରାଜ୍ୟ ସରକାର ଆଇଏଏସ୍ ଅଧିକାରୀଙ୍କ ଏକ ଦଳକୁ ନିୟୋଜିତ କରିଥିଲେ ବୋଲି ବିରୋଧୀ ଅଭିଯୋଗ କରିଥିଲେ।

Exit mobile version