Site icon ଆଜିକାଲି

ଏକକାଳୀନ ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ଇଭିଏମ୍ ପାଇଁ ୧୦,୦୦୦ କୋଟି ଖର୍ଚ୍ଚ

ନୂଆଦିଲ୍ଲୀ: ଯଦି ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗେ ଅନୁଷ୍ଠିତ ହୁଏ, ତେବେ ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) କିଣିବା ପାଇଁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କୁ ଏକ ଚିଠିରେ ଏହା କହିଛନ୍ତି ନିର୍ବାଚନ କମିଶନ ।

ଏହି ଚିଠିରେ କମିଶନ କହିଛନ୍ତି, ଇଭିଏମର ଜୀବନକାଳ ୧୫ ବର୍ଷ। ଏଭଳି ସ୍ଥଳେ ଏକକାଳୀନ ନିର୍ବାଚନ ହେଲେ ତିନି ରାଉଣ୍ଡ ନିର୍ବାଚନ କରିବା ପାଇଁ ଗୋଟିଏ ଇଭିଏମ୍ ସେଟ୍ ବ୍ୟବହାର କରାଯାଇପାରିବ | ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆନୁମାନିକ ୧୧.୮୦ ଲକ୍ଷ ମତଦାନ କେନ୍ଦ୍ର ନିର୍ମାଣ କରିବାକୁ ପଡ଼ିବ।

ଏକସଙ୍ଗେ ନିର୍ବାଚନରେ ପ୍ରତି ମତଦାନ କେନ୍ଦ୍ରରେ ଦୁଇଟି ସେଟ୍ ଇଭିଏମ୍ (ଲୋକସଭା ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ) ଆବଶ୍ୟକ ହେବ। ଅତୀତର ଅଭିଜ୍ଞତା ଭିତ୍ତିରେ ନିର୍ବାଚନ କମିଶନ ସରକାରଙ୍କୁ ଚିଠି ଲେଖି ଏହି ସବୁ ତଥ୍ୟ ଉଲ୍ଲେଖ କରିଛନ୍ତିି । ଏଥିରେ କୁହାଯାଇଛି, ନିର୍ବାଚନ ଦିନ ଓ ବିଭିନ୍ନ ପର୍ଯ୍ୟାୟରେ କିଛି ତ୍ରୁଟିପୂର୍ଣ୍ଣ ୟୁନିଟ୍ ପରିବର୍ତ୍ତନ ପାଇଁ କଣ୍ଟ୍ରୋଲ୍ ୟୁନିଟ୍ (ସିୟୁ), ବାଲାଟ୍ ୟୁନିଟ୍ (ବିୟୁ) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟ୍) ମେସିନ୍ ଆବଶ୍ୟକ।

ଏକକାଳୀନ ନିର୍ବାଚନର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଅତି କମରେ ୪୬,୭୫,୧୦୦ ବାଲାଟ୍ ୟୁନିଟ୍, ୩୬,୬୨,୬୦୦ କଣ୍ଟ୍ରୋଲ୍ ୟୁନିଟ୍ ଏବଂ ୩୬,୬୩,୬୦୦ ଭିଭିପିଏଟ୍ ମେସିନ୍ ଆବଶ୍ୟକ ହେବ ବୋଲି ଗତ ବର୍ଷ ଫେବୃଆରୀରେ ଆଇନ ମନ୍ତ୍ରଣାଳୟକୁ ଏକ ଚିଠିରେ କହିଥିଲେ ନିର୍ବାଚନ କମିଶନ।

ଆଇନ ମନ୍ତ୍ରଣାଳୟ ପଠାଇଥିବା କିଛି ପ୍ରଶ୍ନର ଉତ୍ତର ଦେଇଥିଲା ନିର୍ବାଚନ କମିଶନ। ନିର୍ବାଚନ କମିଶନ ସାନି ମତଦାନ ସହ ଆବଶ୍ୟକ ସୁରକ୍ଷା କର୍ମୀ, ଇଭିଏମ୍ ଗଚ୍ଛିତ ରଖିବା ପାଇଁ ଅଧିକ ଯାନ ଓ ଆନୁଷଙ୍ଗିକ ସୁବିଧା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

କମିଶନ କହିଛନ୍ତି, ଏ ସବୁ ପ୍ରସ୍ତୁତି କରାଗଲେ ୨୦୨୯ରେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗେ ଅନୁଷ୍ଠିତ ହୋଇପାରିବ । ଏଥିପାଇଁ ସମ୍ବିଧାନର ପାଞ୍ଚଟି ଧାରାରେ ସଂଶୋଧନ ମଧ୍ୟ କରିବାକୁ ପଡ଼ିବ ବୋଲି କମିଶନ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

Exit mobile version