Site icon ଆଜିକାଲି

ମହିଳାଙ୍କ ନେତୃତ୍ବରେ ଉତ୍ତ୍ୟକ୍ତ ଲୋକଙ୍କ‌ ଘେରାଉ ପରେ ୧୨ ଉଗ୍ରବାଦୀଙ୍କୁ ଛାଡ଼ିଦେଲା ସେନା

ଇମ୍ଫାଲ୍‌: ମହିଳାମାନଙ୍କ ନେତୃତ୍ବରେ ପ୍ରାୟ ୧୨୦୦ ଉତ୍ତ୍ୟକ୍ତ ଲୋକ ଘେରାଉ କରିବାରୁ ଭାରତୀୟ ସେନା ୧୨ ଜଣ ଉଗ୍ରବାଦୀଙ୍କୁ ଛାଡ଼ିଦେଇଛି । ମଣିପୁରର ଇଥାମ ଗ୍ରାମରେ ଶନିବାର ଏହି ଘଟଣା ଘଟିଛି । ସେନା ଏକ ବିବୃତ୍ତିରେ କହିଛି ଯେ ସାଧାରଣ ନାଗରିକଙ୍କ ଜୀବନକୁ ବିପଦରେ ନ ପକାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ଲୋକଙ୍କ ଘେରାବନ୍ଦୀ ଯୋଗୁଁ ସେନା ବାଧ୍ୟ ହୋଇ ‘କାଙ୍ଗ୍‌ଲେଇ ୟାୱଲ୍‌ କାନ୍ନା ଲୁପ୍‌’ (କେୱାଇକେଏଲ୍‌)ର ୧୨ଜଣ ଉଗ୍ରବାଦୀଙ୍କୁ ମୁକ୍ତ କରିଦେଇଥିଲା ।

ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଜୁନ୍‌ ୨୪ ତାରିଖ ଦିନ ଇଥାମ୍‌ ଗ୍ରାମରେ ଅଭିଯାନ ଚଳାଇ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରି ମଣିପୁରୀ ଉଗ୍ରବାଦୀ ସଙ୍ଗଠନ ‘କେୱାଇକେଏଲ୍‌’ର ୧୨ଜଣ କ୍ୟାଡର୍‌ଙ୍କୁ ଗିରଫ କରିଥିଲା। ତେବେ ଏହାର ପ୍ରତିବାଦରେ କିଛି ମହିଳାଙ୍କ ନେତୃତ୍ବରେ ପ୍ରାୟ ୧୨୦୦ରୁ ଊର୍ଦ୍ଧ୍ବ ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳକୁ ଘେରିଯାଇ ସେନା ବାହିନୀକୁ ଛାଡିନଥିଲେ । ଲୋକଙ୍କୁ ବାରମ୍ବାର ଅନୁରୋଧ କରାଯିବା ପରେ ମଧ୍ୟ କ‌ୌଣସି ସୁଫଳ ମିଳିନଥିଲା । ଫଳରେ ସେନା ବାଧ୍ୟ ହୋଇ କେୱାଇକେଏଲ୍‌ର ୧୨ ଉଗ୍ରବାଦୀଙ୍କୁ ଛାଡ଼ିଦେଇଥିଲା ।

ସୂଚନାଯୋଗ୍ୟ, ଜନଜାତି ମାନ୍ୟତା ପାଇବା ପାଇଁ ଦାବି କରୁଥିବା ମଣିପୁରୀ ସମ୍ପ୍ରଦାୟ ବିରୋଧରେ ମେ ୩ ତାରିଖ ଦିନ ଆୟୋଜିତ ‘ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ’ ବେଳେ ହିଂସାକାଣ୍ଡ ଘଟିବା ସମୟରୁ ଏଯାବତ୍‌ ମଣିପୁର ରାଜ୍ୟରେ ଅସ୍ଥିରତା ଲାଗିରହିଛି।

Exit mobile version