Site icon ଆଜିକାଲି

କାଶ୍ମୀରର ୧୮ ସ୍ଥାନରେ ଏନ୍‌ଆଇଏର ଏକକାଳୀନ ଚଢଉ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଓ ଅପରାଧିକ କାର୍ଯ୍ୟକଳାପରେ କିଛି ସଂଗଠନର ସମ୍ପୃକ୍ତି ଥିବା ଇନପୁଟ ସୂଚନା ମିଳିବା ପରେ କାଶ୍ମୀରର ୧୮ଟି ସ୍ଥାନରେ ଏକକାଳୀନ ଚଢଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଓ ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବା ଅଭିଯୋଗରେ ଅଲ ହୁଦା ଏଜୁକେସନାଲ ଟ୍ରଷ୍ଟ (ଏଏଚ୍‌ଇଟି)ର ଓ ତାର କିଛି ସହଯୋଗୀ ସଂଗଠନର ଏକାଧିକ ଶାଖା ଓ ଆଡ୍ଡାରେ ଏହି ଚଢାଉ ଜାରି ରହିଛି । ଟ୍ରଷ୍ଟର ଜଣେ କାର୍ଯ୍ୟକର୍ତ୍ତାକୁ ଆତଙ୍କୀ ଲିଙ୍କ ସନ୍ଦେହରେ ଗିରଫ ମଧ୍ୟ କରାଯାଇଥିବା ସୂଚନା ମିଳିଛି । ଏନଆଇଏର ଏକାଧିକ ଟିମ ବିଭିନ୍ନ ଆଡ୍ଡାରେ ଚଢଉ ଜାରି ରଖିଛନ୍ତି । ଆଗକୁ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବା ନେଇ ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର ରାଜୌରୀ, ପୁଞ୍ଚ, ଜାମ୍ମୁ, ଶ୍ରୀନଗର, ବାନ୍ଦିପୋରା, ଶୋପିଆନ୍, ପୁଲୱାମା ଏବଂ ବଡଗାମ ଜିଲ୍ଲାର ଏକାଧିକ ସ୍ଥାନରେ ଏହି ଚଢାଉ ଜାରି ରହିଛି । ଟ୍ରଷ୍ଟର ମୁଖ୍ୟ ତଥା ରାଜୌରୀ ଜିଲ୍ଲାର ବାସିନ୍ଦା ମହମ୍ମଦ ଆମୀର ଶାମସିଙ୍କୁ ଗିରଫ କରି ଜେରା ଜାରି ରଖିଛି ସଂସ୍ଥା । ଶାମସି ଏହି ଏଜୁକେସନାଲ ଟ୍ରଷ୍ଟର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲା । ଏହି ଟ୍ରଷ୍ଟ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରିବାରେ ଲିପ୍ତ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଚଢଉ କରିଛି ସଂସ୍ଥା ।

ନିକଟରେ ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍‌ଆଇ)ର ଦେଶବ୍ୟାପୀ ଥିବା ଏକାଧିକ ଠିକଣା ଉପରେ ସିରିଜ ଚଢାଉ କରିଥଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଏକାଧିକ ସ୍ଥାନରେ ଲଗାତର ଚଢଉ ପରେ ବହୁ କାର୍ଯ୍ୟକର୍ତ୍ତାଙ୍କୁ ବିଦେଶୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଓ ସେମାନଙ୍କ ପାଇଁ ପାଣ୍ଠି ଯୋଗାଡ କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ଚଢାଉର ମାତ୍ର ଦିନକ ପରେ ସଂଗଠନକୁ ୫ ବର୍ଷ ପାଇଁ ନିଷେଧ ଘୋଷଣା କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

Exit mobile version