Site icon ଆଜିକାଲି

କାଲିଫର୍ଣ୍ଣିଆରେ ଧକ୍କା ଖାଇଲେ ୨ଟି ଉଡ଼ନ୍ତା ବିମାନ

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକା କାଲିଫର୍ଣ୍ଣିଆ ପ୍ରଦେଶର ଉତ୍ତରାଞ୍ଚଳ ସ୍ଥିତ ଏକ ସ୍ଥାନୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ଦୁଇ ବିମାନ ପରସ୍ପର ସହ ଧକ୍କା ହୋଇଛନ୍ତି । ଏଥିରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ବିମାନବନ୍ଦରରେ ଦୁଇଟି ପ୍ଲେନର ଭଗ୍ନାବଶେଷ ପଡିଛି । ଅଘଟଣରେ କେତେଜଣ ପ୍ରାଣ ହରାଇଛନ୍ତି ସେନେଇ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଆଖପାଖରେ ଥିବା ଘର ସୁରକ୍ଷିତ ରହିଛି । କେବଳ ଏକ କୋଠା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

ୟୁଏସ ଟୁଡେ ରିପୋର୍ଟ ଅନୁସାରେ, ଗୁରୁବାର ଦିନ ପ୍ରାୟ ୩ଟାରେ ହ୍ୱାଟସଆନାବିଲ୍ ବିମାନ ବନ୍ଦରରେ ଦୁଇଟି ବିମାନ ଅବତରଣ କରୁଥିଲେ । ଏହି ସମୟରେ ଉଭୟ ମୁହାଁମୁହିଁ ହୋଇଥିଲେ । ସେହିପରି ଫେଡାରାଲ ଆଭିଏସନ ଆଡମିନିଷ୍ଟ୍ରେସନର ରିପୋର୍ଟ ଅନୁସାରେ, ଦୁର୍ଘଟଣା ବେଳେ ଦୁଇ ଇଞ୍ଜିନ ବିଶିଷ୍ଟ ସେସନା ୩୪୦ ପ୍ଲେନରେ ଦୁଇ ଜଣ ଥିଲେ । ଆଉ ଏକ ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ସେସନା ୧୫୨ ସେସନା ୩୪୦ ସହ ଧକ୍କା ହୋଇଥିଲା । ଅଘଟଣରେ ଅନେକ ମୃତାହତ ହୋଇଥିବା ଅନୁମାନ କରାଯାଉଛି । ଏଫଏଏ ଓ ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଦୁର୍ଘଟଣାର ତଦନ୍ତ କରୁଛି ।

ସୂଚନା ଯେ, ୪ଟି ରନ୍‌ୱେ ଥିବା ଉକ୍ତ ବିମାନ ବନ୍ଦରରେ ୩୦୦ ବିମାନ ରହେ। ଦୁର୍ଘଟଣା ପରେ ଗୋଟିଏ ବିମାନ ବିମାନ ବନ୍ଦର ନିକଟରେ ଥିବା ଘାସ ପଡ଼ିଆରେ ପଡ଼ିଥିବା ବେଳେ ଅନ୍ୟ ବିମାନଟି ପାଖରେ ଯାଇଥିବା ରାସ୍ତାରେ ଖସିପଡ଼ିଛି। ସାମାଜିକ ଗଣମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ବିମାନ ଦୁଇଟିର ଫଟୋ ଓ ଭିଡିଓ ମଧ୍ୟ ପ‌ୋଷ୍ଟ୍‌ ହୋଇଛି।

Exit mobile version